
Jharsuguda, 03 ସେପ୍ଟେମ୍ବର (ହି.ସ.)
ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ଭକ୍ତି, ଉତ୍ସାହ ଓ ଆନନ୍ଦର ପରିବେଶ ମଧ୍ୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ଶ୍ରୀକୃଷ୍ଣ, ରାଧା, ଗୋପୀ ଓ ଗୋପାଳଙ୍କ ବେଶଭୂଷାରେ ସଜ୍ଜିତ ହୋଇ ଉତ୍ସବର ଆକର୍ଷଣ ବଢ଼ାଇଥିଲେ । ଛାତ୍ରଛାତ୍ରୀମାନେ ପାରମ୍ପରିକ ପୋଷାକରେ ସୁସଜ୍ଜିତ ହୋଇ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, ରାଧା-କୃଷ୍ଣଙ୍କ ପ୍ରେମ ଓ ଭକ୍ତିର ବିଭିନ୍ନ ଦୃଶ୍ୟକୁ ନୃତ୍ୟ ଓ ଅଭିନୟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ। କୁନି କୁନି ଗୋପାଳ ଓ ରାଧାଙ୍କ ମନୋମୁଗ୍ଧକର ବେଶ ବିଦ୍ୟାଳୟକୁ ମଥୁରାମୟ କରି ଦେଇଥିଲା । ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନ, ଆଦର୍ଶ, ଧର୍ମ, ସତ୍ୟ ଓ ନ୍ୟାୟର ବାର୍ତ୍ତାକୁ ଛାତ୍ରଛାତ୍ରୀଙ୍କ ମନରେ ଉଜ୍ଜୀବିତ କରିବା ଜନ୍ମାଷ୍ଟମୀ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀକାନ୍ତ ଦେବତା ଶ୍ରୀକୃଷ୍ଣଙ୍କ ଜୀବନାଦର୍ଶକୁ ଅନୁସରଣ କରି ସତ୍ୟ, ନିଷ୍ଠା, କର୍ତ୍ତବ୍ୟବୋଧ ଓ ମାନବିକତାର ପଥରେ ଆଗେଇ ଯିବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ । ଉତ୍ସବରେ ସୁନନ୍ଦା ପ୍ରହରାଜ, ସବିତା ଧଳ, ରିଙ୍କୁ ଶର୍ମା, ସଙ୍ଗୀତା ସିହ୍ନା, ସ୍ମିତା ସାହୁ, ଉମା ସିଂ ଚନ୍ଦେଲ, ଏଏସଭି ଶ୍ରୀବାଲି ପ୍ରମୁଖ ବିଭାଗୀୟ ଶିକ୍ଷୟିତ୍ରୀମାନେ ସକ୍ରିୟ ଭାବେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ