

ସମ୍ବଲପୁର, ୩ ସେପ୍ଟେମ୍ବର (ହି.ସ.)- ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ ଓ ବେସରକାରୀ ନିର୍ମାଣ ଓ ମରାମତି କାର୍ଯ୍ୟ କରି ଗୁଜୁରାଣ ମେଣ୍ଟାଉଥିବା ସମ୍ବଲପୁର ଜିଲ୍ଲାର ଠିକାଦାରଙ୍କ ପ୍ରତି ଘୋର ଅନ୍ୟାୟ ହେଉଛି ବୋଲି ଆଜି କୁଚିଣ୍ଡା ଠାରେ ଆୟୋଜିତ ଉପଖଣ୍ଡ ସ୍ତରିୟ ଠିକାଦାର ବୈଠକରେ ଅଭିଯୋଗ ମୁଣ୍ଡ ଟେକିଛି । ସମ୍ବଲପୁର ଜିଲ୍ଲା ଠିକାଦାର ସଂଘ ସଭାପତି ପ୍ରଦୀପ କୁମାର ପଣ୍ଡା ଠିକାଦାର ମାନଙ୍କ ପେଟ ପେଟଣାରେ ହେଉଥିବା ପକ୍ଷପାତିତାକୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜିଲ୍ଲାରେ ହେଉଥିବା ପ୍ରତ୍ୟେକ ନିର୍ମାଣ କାର୍ଯ୍ୟ ତଥା ୧୦ କୋଟି ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟ ସମ୍ବଲପୁର ଜିଲ୍ଲାର ଠିକାଦାର ମାନେ କରିବେ । ଏଥିରେ କୌଣସି ବାହାର ଜିଲ୍ଲାର ଠିକାଦାରଙ୍କ ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ । ୧୦ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଠିକା କାର୍ଯ୍ୟରେ ପ୍ରଶାସନ ସମ୍ବଲପୁର ସମେତ ଅନ୍ୟାନ୍ୟ ଜିଲ୍ଲାର ଠିକାଦାରଙ୍କୁ ସଂମ୍ପୃକ୍ତି କରିପାରନ୍ତି । ସମ୍ବଲପୁର ଜିଲ୍ଲାରେ ୫ ହଜାରରୁ ଉର୍ଦ୍ଧ୍ବ ଠିକାଦାର ଥିଲା ବେଳେ ରାଜନୈତିକ ଓ ପ୍ରଶାସନିକ ଦାଓପେଞ୍ଚରେ କଟକ, ଖୋର୍ଦ୍ଧା, ଯାଜପୁର ଭଳି ଜିଲ୍ଲାର ଠିକାଦାରମାନେ ଫେସ୍ ରେ ଟେଣ୍ଡର ପକାଇ କାମ ନେଇଯାଉଛନ୍ତି । ଏଥିରେ ସମ୍ବଲପୁର ଜିଲ୍ଲାର ଠିକାଦାର ମାନେ ଉପେକ୍ଷିତ ହେଉଛନ୍ତି। ଅପରପକ୍ଷେ ୧୦ ରୁ ୧୫ ପ୍ରତିଶତରେ ନେଉଥିବା କାମ ସଠିକ୍ ମାନର ଓ ସଠିକ୍ ସମୟରେ ସରୁନଥିବା ଯୋଗୁଁ ଠିକାଦାର ସମାଜ ଅପନିନ୍ଦିତ ହୋଇଆସୁଛି । ତେଣୁ ଠିକା କାର୍ଯ୍ୟର କାର୍ଯ୍ୟାଦେଶ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ କେବଳ ସ୍ଥାନୀୟ ସମ୍ବଲପୁର ଜିଲ୍ଲାର ଠିକାଦାର ଯେପରି ପାଇବେ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ହୋଇପଡିଛି । ୧୦ କୋଟିରୁ କୌଣସି କାର୍ଯ୍ୟ ବାହାର ଜିଲ୍ଲାର ଠିକାଦାର କଲେ ସମ୍ବଲପୁର ଠିକାଦାର ସଂଘ ଘୋର ବିରୋଧ କରିବ ବୋଲି ସଂଘର ସଭାପତି ଶ୍ରୀ ପଣ୍ଡା ଚରମବାଣୀ ଶୁଣାଇଛନ୍ତି ।
ଆଜିର ଏହି ବୈଠକରେ ଟେଣ୍ଡର ପ୍ରକ୍ରିୟା ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟାଳୟରେ ବର୍ଷ ବର୍ଷ ଧରି ବକେୟା ପଡିଥିବା ଅର୍ଥ ପାଇବା ଓ ଠିକାଦାର ସମାଜର ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ