



ବଲାଙ୍ଗିର 3 ସେପ୍ଟେମ୍ବର (ହି.ସ.)
ବଲାଙ୍ଗୀର: ନିଜର ଉଲ୍ଲେଖନୀୟ ଟିକସ ଆଦାୟ, କାର୍ଯ୍ୟଦକ୍ଷତା, ସହରର ସାମଗ୍ରିକ ବିକାଶ, ପରିମଳ ବ୍ୟବସ୍ଥା ଓ ଜନସେବା କ୍ଷେତ୍ରରେ ସଫଳତା ପାଇଁ ବଲାଙ୍ଗୀର ପୌର ପରିଷଦ ପୁରସ୍କୃତ ହେବା ପରେ ସମଗ୍ର ସହରରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ଏହି ଗୌରବମୟ ସଫଳତାକୁ ସହରବାସୀ ନିଜର ସଫଳତା ଭାବେ ଗ୍ରହଣ କରି ବଲାଙ୍ଗୀର ପୌର ପରିଷଦକୁ ଏକ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି।
ଏହି ଅବସରରେ ସହରର ବିଭିନ୍ନ ବୁଦ୍ଧିଜୀବୀ, ସାମାଜିକ ସଂଗଠନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବିଭିନ୍ନ ବର୍ଗର ସହରବାସୀ ଏକାଠି ହୋଇ ଏହି ସଫଳତାକୁ ଉତ୍ସବର ରୂପ ଦେଇଥିଲେ।
ସ୍ଥାନୀୟ ପାଟଣେଶ୍ୱରୀ ମନ୍ଦିରରୁ ମା’ ସମଲେଇ ମନ୍ଦିର ଦେଇ ବଲାଙ୍ଗୀର ପୌର ପରିଷଦର ରାଜେନ୍ଦ୍ର ପାର୍କ ପର୍ଯ୍ୟନ୍ତ ଏକ ଭବ୍ୟ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ପରିଷଦ ସମସ୍ତ ସଦସ୍ୟ ସଦସ୍ୟା ଓ ସହର ବହୁ ସଂଖ୍ୟକ ଲୋକ ଏହି ପଦଯାତ୍ରାରେ ସାମିଲ ହୋଇ ବଲାଙ୍ଗୀର ସହରର ଏହି ଗୌରବମୟ ସଫଳତାକୁ ଉତ୍ସାହର ସହ ପାଳନ କରିଥିଲେ।
ପଦଯାତ୍ରା ପରେ ସ୍ଥାନୀୟ ରାଜେନ୍ଦ୍ର ପାର୍କଠାରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଯୋଗଦେଇଥିଲେ ଓ ପରିଷଦ ଅଧ୍ୟକ୍ଷା, ଉପ ନଗରପାଳ, ସମସ୍ତ ସଦସ୍ୟ ଓ ସଦସ୍ୟା ମଞ୍ଚାସିନ ଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଉପସ୍ଥିତ ସମସ୍ତ ଅତିଥି, ସହରବାସୀ ଓ ବିଭିନ୍ନ ସଂଗଠନର ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ। ପରେ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ବଲାଙ୍ଗୀର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏବଂ ମୁଖ୍ୟ ଅତିଥି ବିଧାୟକ ଶ୍ରୀ କଳିକେଶ ନାରାୟଣ ସିଂହଦେଓଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ନିଜର ଅଭିଭାଷଣରେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ କହିଥିଲେ ଯେ, ବଲାଙ୍ଗୀର ପୌର ପରିଷଦକୁ ମିଳିଥିବା ଏହି ସମ୍ମାନ ଓ ପୁରସ୍କାର କେବଳ ପୌର ପରିଷଦର ନୁହେଁ, ବରଂ ସମଗ୍ର ବଲାଙ୍ଗୀର ସହରବାସୀଙ୍କର। ସହରବାସୀଙ୍କ ଭଲପାଇବା, ସହଯୋଗ ଓ ସମର୍ଥନ ଯୋଗୁଁ ଏହି ସଫଳତା ସମ୍ଭବ ହୋଇପାରିଛି ବୋଲି ସେ ଉଲ୍ଲେଖ କରିଥିଲେ। ଆଗାମୀ ଦିନରେ ମଧ୍ୟ ସହରବାସୀଙ୍କ ସହଯୋଗରେ ବଲାଙ୍ଗୀରକୁ ଆହୁରି ସ୍ୱଚ୍ଛ, ସୁନ୍ଦର ଓ ବିକଶିତ ସହରରେ ପରିଣତ କରିବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ମୁଖ୍ୟ ଅତିଥି ବଲାଙ୍ଗୀର ବିଧାୟକ ଶ୍ରୀ କଳିକେଶ ନାରାୟଣ ସିଂହଦେଓ ନିଜର ଅଭିଭାଷଣରେ ବଲାଙ୍ଗୀର ସହରରେ ଚାଲିଥିବା ବିକାଶମୂଳକ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସହରର ବିକାଶ ଯେପରି ସୁଚାରୁ ଓ ଦ୍ରୁତଗତିରେ ଆଗେଇ ଚାଲିଛି, ତାହାକୁ ଆହୁରି ସୁଦୃଢ଼ କରିବା ପାଇଁ ସହରବାସୀଙ୍କୁ ସହଯୋଗର ହାତ ବଢ଼ାଇବାକୁ ସେ ଅନୁରୋଧ କରିଥିଲେ। ବିକାଶର ଏହି ଗତିକୁ ଦେଖି କିଛି ଲୋକ ଅସନ୍ତୁଷ୍ଟ ହେଉଥିବା ସତ୍ତ୍ୱେ, ସହରର ସ୍ୱାର୍ଥ ଓ ବିକାଶ ପାଇଁ ସମସ୍ତେ ଏକାଠି ହୋଇ କାମ କରିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।
ଏହି ଭବ୍ୟ ସମ୍ବର୍ଦ୍ଧନା ସଭାରେ ବରିଷ୍ଟ ସଦସ୍ୟ ସମ୍ଭୁ ନାଗ ସଭା ପରିଚାଳନା କରିଥିଲେ ବଲାଙ୍ଗୀର ପୌର ପରିଷଦର ସମସ୍ତ କର୍ମଚାରୀ ଓ ଅଧିକାରୀମାନେ ସକ୍ରିୟ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆହୁରି ସଫଳ ଓ ଆକର୍ଷଣୀୟ କରିଥିଲେ।
ବଲାଙ୍ଗୀର ପୌର ପରିଷଦର ଏହି ସଫଳତା କେବଳ ଏକ ପୁରସ୍କାର ନୁହେଁ, ବରଂ ସହରବାସୀଙ୍କ ଆଶା, ବିଶ୍ୱାସ ଓ ସାମୂହିକ ସହଯୋଗର ପ୍ରତୀକ। ଏହି ଭବ୍ୟ ସମ୍ବର୍ଦ୍ଧନା ମାଧ୍ୟମରେ ସହରବାସୀ ବଲାଙ୍ଗୀରର ବିକାଶ ଯାତ୍ରା ପ୍ରତି ନିଜର ଭଲପାଇବା ଓ ସମର୍ଥନକୁ ପୁଣିଥରେ ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ