ଏନ୍ଏଚ୍-୪୯ ପାରି ହେବାରେ ଜୀବନ ବାଜି; କତରବଗାବାସୀଙ୍କ ସୁରକ୍ଷା ବ୍ୟବସ୍ଥା ଦାବି
Now nh 49 is a big danger
ଏନ୍ଏଚ୍-୪୯ ପାରି ହେବାରେ ଜୀବନ ବାଜି


ଝାରସୁଗୁଡ଼ା, ୩ ସେପ୍ଟେମ୍ବର (ହି.ସ.)- ଲଖନପୁର ବ୍ଲକ ଅନ୍ତର୍ଗତ କତରବଗା ଗ୍ରାମ ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ–୪୯ ଏବେ ସ୍ଥାନୀୟ ଲୋକଙ୍କ ପାଇଁ ବଡ଼ ବିପଦର କାରଣ ପାଲଟିଛି। ପ୍ରତିଦିନ ରାଜପଥ ପାରି ହୋଇ ଯାତାୟାତ କରିବାକୁ ବାଧ୍ୟ ହେଉଥିବା ଗ୍ରାମବାସୀ, ଚାଷୀ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ସ୍ଥାୟୀ ସମାଧାନ ଦାବି କରି ଗ୍ରାମବାସୀମାନେ ବୁଧବାର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଗ୍ରାମର ଗୋଟିଏ ପାର୍ଶ୍ୱରେ ଏନ୍ଏଚ୍-୪୯ ଥିବାବେଳେ ଅନ୍ୟ ପାର୍ଶ୍ୱରେ ତଳିକଟା ଜଳାଶୟ, ବନ୍ଧ, ପୋଖରୀ ଓ ବିସ୍ତୀର୍ଣ୍ଣ ଚାଷଜମି ରହିଛି। ଜଳସେଚନ ଓ କୃଷିକାର୍ଯ୍ୟ ପାଇଁ ଗ୍ରାମବାସୀଙ୍କୁ ପ୍ରତିଦିନ ଏହି ରାଜପଥ ପାରି ଯିବାକୁ ପଡ଼ୁଥିବାରୁ ସେମାନେ ସବୁବେଳେ ଦୁର୍ଘଟଣାର ଆଶଙ୍କା ମଧ୍ୟରେ ରହୁଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ରାଜପଥରେ ଭାରୀ ଯାନବାହନ ଦ୍ରୁତ ଓ ବେପରୁଆ ଗତିରେ ଚଳାଚଳ କରୁଥିବାରୁ ପୂର୍ବରୁ ମଧ୍ୟ ଏକାଧିକ ଦୁର୍ଘଟଣା ଘଟି ଧନଜୀବନ କ୍ଷତି ହୋଇଛି। ତଥାପି ଏପର୍ଯ୍ୟନ୍ତ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା କରାଯାଇନଥିବାରୁ ସ୍ଥାନୀୟମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଅନ୍ୟପଟେ, କତରବଗା ଗ୍ରାମର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଶତାଧିକ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଯିବା ପାଇଁ ପ୍ରାୟ ୨୦୦ରୁ ୨୫୦ ମିଟର ପର୍ଯ୍ୟନ୍ତ ଜାତୀୟ ରାଜପଥ ଉପରେ ଯାତାୟାତ କରିବାକୁ ପଡ଼ୁଛି। ଦ୍ରୁତଗାମୀ ଯାନବାହନ ମଧ୍ୟରେ ସେମାନଙ୍କ ଏଭଳି ଯାତାୟାତ ଅଭିଭାବକ ଓ ଗ୍ରାମବାସୀଙ୍କ ଚିନ୍ତାର କାରଣ ହୋଇଛି। ତେଣୁ, କତରବଗା ନିକଟରେ ଯାନବାହନର ଗତି ନିୟନ୍ତ୍ରଣ ପାଇଁ ସ୍ପିଡ୍ ବ୍ରେକର, ସତର୍କ ସୂଚନା ଫଳକ, ଜେବ୍ରା କ୍ରସିଂ, ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହ ସୁରକ୍ଷିତ ଭାବେ ରାଜପଥ ପାରି ହେବାର ସ୍ଥାୟୀ ବ୍ୟବସ୍ଥା କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ରତ୍ନାକର ସା, ଉମେଶ ପ୍ରଧାନ, ଇନ୍ଦ୍ରମଣି ଖମାରୀ, ଚନ୍ଦ୍ରକୁମାର ବାରିକ, ଦିଲ୍ଲୀପ ଡନସନା, ନିମାଇଁ ଖରସେଲ, ବିକାଶ ସାହୁ, ଲକ୍ଷ୍ମୀକାନ୍ତ ପ୍ରଧାନ, ଦୀପକ ବାରିକ, ସୁଷମା ବାରିକ, ରିନାକାନ୍ତି ପ୍ରଧାନ, କୌଶଲ୍ୟା ଡନସନା, ଯଶୋବନ୍ତୀ ପ୍ରଧାନଙ୍କ ସମେତ ବହୁ ଗ୍ରାମବାସୀ ଦାବିପତ୍ର ପ୍ରଦାନ କରିଥିଲେ। ଶୀଘ୍ର ସମାଧାନ ନ ହେଲେ ଆଗାମୀ ଦିନରେ ବଡ଼ ଅଘଟଣ ଘଟିପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande