
ଝାରସୁଗୁଡ଼ା, ୩ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ପରମାନପୁର ଗ୍ରାମପଞ୍ଚାୟତର ନାଏକପଡ଼ାରେ ନିର୍ମାଣାଧୀନ ମାଉସୀ ମନ୍ଦିରର କାର୍ଯ୍ୟ ଦୀର୍ଘ ୧୫ ବର୍ଷ ଧରି ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ପାଣ୍ଠି ଅଭାବ ଯୋଗୁଁ ମନ୍ଦିର ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ରହିଥିବା ବେଳେ ଶୀଘ୍ର କାର୍ଯ୍ୟ ପୁନଃ ଆରମ୍ଭ କରି ସମ୍ପୂର୍ଣ୍ଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ମହାପ୍ରଭୁଙ୍କ ରଥଯାତ୍ରା ସମେତ ବିଭିନ୍ନ ଧାର୍ମିକ ପର୍ବପର୍ବାଣୀରେ ଏହି ମାଉସୀ ମନ୍ଦିରର ସ୍ୱତନ୍ତ୍ର ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି। ପ୍ରାୟ ୧୫ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ମନ୍ଦିର ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନଥିବାରୁ ଭକ୍ତମାନଙ୍କ ମଧ୍ୟରେ ନିରାଶା ଦେଖାଦେଇଛି। ଦୀର୍ଘଦିନ ଧରି କାମ ବନ୍ଦ ରହିବାରୁ ନିର୍ମାଣାଧୀନ ଢାଞ୍ଚା ମଧ୍ୟ ଧୀରେ ଧୀରେ କ୍ଷତିଗ୍ରସ୍ତ ହେବାକୁ ବସିଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସହ ଲଇକେରା, କୋଲାବିରା ଓ କିର୍ମିରା ବ୍ଲକ ବିକାଶ ପରିଷଦ ପକ୍ଷରୁ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଦୃଢ଼ ଦାବି ଉଠାଯାଇଛି। ପରିଷଦର ସାଧାରଣ ସମ୍ପାଦକ ସମ୍ବିତ ନାଏକ ଓ ସଦସ୍ୟ ଅରୁଣ ନାଏକ ଏକ ମିଳିତ ବିବୃତ୍ତିରେ କହିଛନ୍ତି ଯେ, ମନ୍ଦିରର ଅସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ସ୍ୱତନ୍ତ୍ର ପାଣ୍ଠି ମଞ୍ଜୁର କରାଯାଉ ଏବଂ ତୁରନ୍ତ ନିର୍ମାଣ କାର୍ଯ୍ୟ ପୁନର୍ବାର ଆରମ୍ଭ କରାଯାଉ।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମାଉସୀ ମନ୍ଦିର କେବଳ ଏକ ଧାର୍ମିକ ସ୍ଥଳ ନୁହେଁ, ବରଂ ଅଞ୍ଚଳର ସାମାଜିକ ଓ ସାଂସ୍କୃତିକ ପରମ୍ପରାର ଏକ ପ୍ରତୀକ। ତେଣୁ ଏହାର ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସେମାନେ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ