ଭୋଟର ତାଲିକାରୁ ନାମ ବାଦ୍ ସମ୍ପର୍କିତ ବିଭ୍ରାନ୍ତିକର ଖବର ଉପରେ ଜିଲ୍ଲା ପ୍ରଶାସନର ସ୍ପଷ୍ଟୀକରଣ
Press note given by district election officer
ଭୋଟର ତାଲିକାରୁ ନାମ ବାଦ୍ ସମ୍ପର୍କିତ ବିଭ୍ରାନ୍ତିକର ଖବର ଉପରେ ଜିଲ୍ଲା ପ୍ରଶାସନର ସ୍ପଷ୍ଟୀକରଣ


ଝାରସୁଗୁଡ଼ା, ୩ ସେପ୍ଟେମ୍ବର (ହି.ସ.)- କିଛି ଗଣମାଧ୍ୟମ ତଥା ସାମାଜିକ ଗଣମାଧ୍ୟମରେ ଲଇକେରା ବ୍ଲକ୍ ଅନ୍ତର୍ଗତ ଜାମ୍ମାଲ ପଞ୍ଚାୟତରେ ‘ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ଭୋଟର ତାଲିକାରୁ ନାମ ବାଦ୍ ଦିଆଯାଇଥିବା’ ନେଇ ପ୍ରକାଶ ପାଇଥିବା ଖବରର ଘଟଣା ସମ୍ପର୍କରେ ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ବାସ୍ତବ ତଥ୍ୟ ଉପସ୍ଥାପନ ପୂର୍ବକ ସ୍ପଷ୍ଟୀକରଣ ଜାରି କରାଯାଇଛି।

ଲଇକେରା ଏଇଆରଓ-ତଥା-ବିଡିଓ ଜର୍ଜ ଡୁଙ୍ଗଡୁଙ୍ଗଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁସାରେ, ଦୁଇଟି ମତଦାନ କେନ୍ଦ୍ର ଯଥା— ବୁଥ୍ ନଂ-୨୬୧ (ଜାମ୍ମାଲ) ରୁ ୩୨ଟି ଏବଂ ବୁଥ୍ ନଂ-୨୬୨ (ଭୁକ୍ଲାପଡ଼ା) ରୁ ୧୯ଟି, ସର୍ବମୋଟ ୫୧ଟି ଫର୍ମ-୭ (ଭୋଟର ତାଲିକାରୁ ନାମ ବାଦ୍ ପାଇଁ ଆପତ୍ତି ଆବେଦନ) ଦାଖଲ ହୋଇଥିଲା। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, କୌଣସି ଆବେଦନ ଆସିବା ମାତ୍ରେ ସିଧାସଳଖ ଭୋଟରଙ୍କ ନାମ ବାଦ୍ ଦିଆଯାଏ ନାହିଁ; ବରଂ କ୍ଷେତ୍ରସ୍ତରରେ ବିଧିବଦ୍ଧ ଯାଞ୍ଚ ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଏ।

ଏହି କ୍ରମରେ ସମ୍ପୃକ୍ତ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ଘରକୁ ଘର ବୁଲି ନିରପେକ୍ଷ କ୍ଷେତ୍ରସ୍ତରୀୟ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପ୍ରକ୍ରିୟା ପରେ ମୋଟ ୫୧ଟି ଆବେଦନ ମଧ୍ୟରୁ ୫୦ଟି ଆବେଦନ ନାକଚ କରାଯାଇଛି ଏବଂ ସେହି ସମସ୍ତ ୫୦ ଜଣ ଯୋଗ୍ୟ ଭୋଟରଙ୍କ ନାମ ଚୂଡ଼ାନ୍ତ ଭୋଟର ତାଲିକାରେ ଅକ୍ଷୁର୍ଣ୍ଣ ରଖାଯାଇଛି। ଅନ୍ୟପକ୍ଷରେ, ବୁଥ୍ ନଂ-୨୬୨ (ଭୁକ୍ଲାପଡ଼ା) ର କେବଳ ଜଣେ ଭୋଟର ପ୍ରକୃତରେ ମୃତ୍ୟୁବରଣ କରିଥିବା ପ୍ରମାଣିତ ହେବା ପରେ ନିୟମାନୁଯାୟୀ କେବଳ ଜଣେ ମୃତ ଭୋଟରଙ୍କ ନାମ ହିଁ ବାଦ୍ ଦେବା ପାଇଁ ପ୍ରକ୍ରିୟାକରଣ ଆରମ୍ଭ କରାଯାଇଛି।

ଉପ-ଜିଲ୍ଲାପାଳ ତଥା ଇଆରଓ (୦୭-ଝାରସୁଗୁଡ଼ା) ସବ୍ୟସାଚୀ ପଣ୍ଡା ଏବଂ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ସମେତ ବରିଷ୍ଠ ଜିଲ୍ଲା ଅଧିକାରୀମାନେ ଏହି ସମଗ୍ର ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି। ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ ଏବଂ ନିୟମାନୁଯାୟୀ କାର୍ଯ୍ୟକାରୀ କରାଯାଉଛି ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସଠିକ୍ ଓ ପ୍ରାମାଣିକ ସୂଚନା ପାଇଁ ନାଗରିକମାନେ କେବଳ ଜିଲ୍ଲା ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗ ଦ୍ୱାରା ଜାରି କରାଯାଉଥିବା ଆନୁଷ୍ଠାନିକ ତଥ୍ୟ ଉପରେ ଭରସା କରିବାକୁ ପରାମର୍ଶ ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande