


ସମ୍ବଲପୁର, ୦୩, ସେପ୍ଟେମ୍ବର (ହି.ସ.) - ଏକ ସବୁଜ, ସ୍ୱଚ୍ଛ ଓ ସୁସ୍ଥ ପୃଥିବୀ ଗଠନ ଲକ୍ଷ୍ୟରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆଗାମୀ ସେପ୍େଟମ୍ବର ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ବ୍ୟାପକ “ପରିବେଶ ସଚେତନତା ଅଭିଯାନ” ଆୟୋଜନ ହେବାକୁ ଯାଉଛି । । ଏହି ଅଭିଯାନ ଅଧୀନରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ନାଗରିକ, ଛାତ୍ରଛାତ୍ରୀ, ସ୍ଥାନୀୟ ସମୁଦାୟ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ହେବ ବୋଲି ଆଜି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚିତ କରାଯାଇଛି । ସେପ୍େଟମ୍ବର ୬ ତାରିଖ ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ସମ୍ବଲପୁରର ଲାପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନିୟମ ପରିସରରୁ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ଆୟୋଜିତ ହେବ। ସେପ୍େଟମ୍ବର ୭ ତାରିଖରେ ସମ୍ବଲପୁର ସହରର ଗାନ୍ଧୀ ମୀନାର ସାଇଡ୍ୱାକ୍ ଠାରୁ ବ୍ୟାପକ ସ୍ୱଚ୍ଛତା ଅଭିଯାନ କରାଯିବ। ଏହାସହ ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲରେ ପ୍ରଥମରୁ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ହେବ। ସେପ୍େଟମ୍ବର ୮ ତାରିଖରେ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ଇକୋ-କିଟ୍ ବଣ୍ଟନ କାର?୍ୟ୍ୟକ୍ରମ ହେବ। ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏହା ଆୟୋଜନ କରାଯିବ ଛାତ୍ରଛାତ୍ରୀଙ୍କୁ ଏକକ ବ୍ୟବହାର ପ୍ଲାଷ୍ଟିକ୍ ଏସୟୁପି ସମ୍ପର୍କରେ ସଚେତନ କରାଯିବ। ବିଭିନ୍ନ ପ୍ଲାଷ୍ଟିକ୍ର ଜୈବ ବିଘଟନ ଶୀଳତା ସମ୍ପର୍କରେ ପ୍ରଦର୍ଶନୀ ମଧ୍ୟ କରାଯିବ। ଏହାପରେ ଛାତ୍ରଛାତ୍ରୀଙ୍କୁ ଝୋଟ୍, କପଡ଼ା ବ୍ୟାଗ୍, ଚାରା ଓ ବାଉଁଶ କାଠ ସାମଗ୍ରୀ ଥିବା ଇକୋ-କିଟ୍ ବଣ୍ଟନ କରାଯିବ। ସେପ୍େଟମ୍ବର ୯ ତାରିଖରେ ସମ୍ବଲପୁର ମହାନଗର ନିଗମ ସହଯୋଗରେ ନେଲସନ ମଣ୍ଡେଲା ଛକଠାରେ ଖାଦ୍ୟ ମେଳା ଆୟୋଜିତ ହେବ। ଏଥିରେ ବିଭିନ୍ନ ଅଂଶୀଦାରଙ୍କୁ ଆମନ୍ତ୍ରଣ କରାଯିବ। ଏକକ ବ୍ୟବହାର ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ। ଖାଓ ଗଳିଠାରେ ଜୈବ ବିଘଟନଶୀଳ କଟଲେରୀ ବ୍ୟବହାର ସହ ସଚେତନତା ଅଭିଯାନ ହେବ ଏବଂ ଏହି କଟଲେରୀରେ ସ୍ୱତନ୍ତ୍ର ଭାବେ ଓଡ଼ିଆ ପିଠା ପ୍ରଦର୍ଶିତ ହେବ। ସେହିପରି ସେପ୍େଟମ୍ବର ୧୦ ତାରିଖରେ ବରଗଡ଼ ଜିଲ୍ଲାର ଟୋରା ହାଇସ୍କୁଲ ଓ ବାଉଁଶସିଂହା ହାଇସ୍କୁଲରେ ସଚେତନତା କାର୍ଯ୍ୟକ୍ରମ, ଚିତ୍ରାଙ୍କନ ପ୍ରତିଯୋଗିତା ଓ ବ୍ୟାପକ ସଚେତନତା କାର୍ଯ୍ୟକ୍ରମମାନ ହେବ ବୋଲି ଆଜି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଅବଗତ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ