
ଭୁବନେଶ୍ୱର, ୩ ସେପ୍ଟେମ୍ବର (ହି.ସ)
ରାଜ୍ୟରେ ବନ୍ୟା ସ୍ଥିତିରେ ଧୀରେ ଧୀରେ ସୁଧାର
ଆସୁଛି ଏବଂ ସାମଗ୍ରିକ ସ୍ଥିତି ନିୟନ୍ତ୍ରଣରେ ରହିଛି। ରାଜ୍ୟର ସମସ୍ତ ପ୍ରମୁଖ ନଦୀର ଜଳସ୍ତର
ସାଧାରଣତଃ ହ୍ରାସ ପାଉଥିବା ବେଳେ ବର୍ଷାର ପରିମାଣରେ ମଧ୍ୟ ଯଥେଷ୍ଟ ହ୍ରାସ ଘଟିଛି। ରାଜ୍ୟ
ସରକାର ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି।
ପ୍ରଭାବିତ ଅଞ୍ଚଳରେ ରିଲିଫ୍, ଉଦ୍ଧାର ଓ
ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି।
ସଦ୍ୟତମ ରିପୋର୍ଟ ଅନୁଯାୟୀ, ଯାଜପୁର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ଏବେ ମଧ୍ୟ ବନ୍ୟା
ପ୍ରଭାବିତ ରହିଛି।
ଯାଜପୁର- ଦଶରଥପୁର ବ୍ଲକ୍ ପ୍ରଭାବିତ ହୋଇଛି। ଏଠାରେ ୧୯ଟି ଗ୍ରାମ
ପଞ୍ଚାୟତ ଓ ୬୨ଟି ଗାଁ ବନ୍ୟା ପ୍ରଭାବିତ ହୋଇଛି। ମୋଟ ୨୨ଟି ରିଲିଫ୍ ଶିବିର ଚାଲୁ ରହିଛି, ଯେଉଁଠାରେ ୭,୭୪୫ ଜଣଙ୍କୁ ଆଶ୍ରୟ
ଓ ସହାୟତା ଯୋଗାଇ ଦିଆଯାଉଛି।
ମୟୂରଭଞ୍ଜ- ଜିଲ୍ଲାର ୨୧ଟି ବ୍ଲକ୍, ୫୩ଟି ଗ୍ରାମ ପଞ୍ଚାୟତ ଓ ୯୭ଟି ଗାଁ ପ୍ରଭାବିତ ହୋଇଛି।
ଏହା ବ୍ୟତୀତ ବାରିପଦା ପୌରପାଳିକାର ୨ଟି ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି। ମୋଟ ୨୯ଟି ରିଲିଫ୍
ଶିବିର ଚାଲୁ ରହିଛି, ଯେଉଁଠାରେ ୧୦,୫୦୧ ଜଣ ରହୁଛନ୍ତି। ବନ୍ୟା ଯୋଗୁଁ ୧୦୪ଟି ଘର
କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳିଛି। ଏହା ସହିତ ୯ଟି ପଲିଥିନ୍ ରୋଲ୍ ବଣ୍ଟନ କରାଯାଇଛି।
ବାଲେଶ୍ୱର- ଭୋଗରାଇ, ବାଲିଆପାଳ, ବସ୍ତା, ରେମୁଣା ଓ ଜଳେଶ୍ୱର
ସମେତ ୫ଟି ବ୍ଲକ୍ ପ୍ରଭାବିତ ହୋଇଛି। ଏହି ଅଞ୍ଚଳର ୪୧ଟି ଗ୍ରାମ ପଞ୍ଚାୟତ ଅଧୀନ ୨୧୪ଟି ଗାଁ
ବନ୍ୟା ପ୍ରଭାବିତ ହୋଇଛି। ଜିଲ୍ଲାରେ ୭୨ଟି ରିଲିଫ୍ ଶିବିର ଚାଲୁ ରହିଛି, ଯେଉଁଠାରେ ୩୫,୭୪୦ ଜଣଙ୍କୁ
ସହାୟତା ଯୋଗାଇ ଦିଆଯାଉଛି।
୪୭ଟି ଉଦ୍ଧାରକାରୀ ଦଳ ନିୟୋଜିତ- ପ୍ରଭାବିତ ଜିଲ୍ଲାଗୁଡ଼ିକରେ
ରିଲିଫ୍ ଓ ଉଦ୍ଧାରକାରୀ ଦଳର ନିୟୋଜନ ଜାରି ରହିଛି। ଆଜି ମୋଟ ୪୭ଟି ଦଳ ନିୟୋଜିତ ହୋଇଛି।
ଏଥିରେ ୨୧ଟି ଓଡ୍ରାଫ୍, ୪ଟି ଏନ୍ଡିଆର୍ଏଫ୍
ଏବଂ ୨୨ଟି ଅଗ୍ନିଶମ ଓ ଜରୁରୀକାଳୀନ ସେବା ଦଳ ସାମିଲ ଅଛନ୍ତି।
ଯାଜପୁରରେ ୩ଟି ଓଡ୍ରାଫ୍ ଦଳ ନିୟୋଜିତ ହୋଇଛନ୍ତି। ମୟୂରଭଞ୍ଜରେ ୬ଟି
ଓଡ୍ରାଫ୍ ଓ ୧୩ଟି ଅଗ୍ନିଶମ ଓ ଜରୁରୀକାଳୀନ ସେବା ଦଳ ନିୟୋଜିତ ହୋଇଛନ୍ତି। ସେହିପରି
ବାଲେଶ୍ୱରରେ ୧୨ଟି ଓଡ୍ରାଫ୍, ୪ଟି ଏନ୍ଡିଆର୍ଏଫ୍
ଓ ୯ଟି ଅଗ୍ନିଶମ ଓ ଜରୁରୀକାଳୀନ ସେବା ଦଳ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଉଛି
ରାଜ୍ୟର ନଦୀଗୁଡ଼ିକର ଜଳସ୍ତରରେ ସାଧାରଣତଃ ହ୍ରାସର ପ୍ରବଣତା ଜାରି
ରହିଛି। ଏହା ବନ୍ୟା ସ୍ଥିତିରେ କ୍ରମିକ ସୁଧାରର ସଙ୍କେତ ଦେଉଛି। ବର୍ତ୍ତମାନ ରାଜ୍ୟରେ କେବଳ ସୁବର୍ଣ୍ଣରେଖା
ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି।
ମଧ୍ୟାହ୍ନ ୧୨ଟା ସୁଦ୍ଧା ରାଜଘାଟଠାରେ ସୁବର୍ଣ୍ଣରେଖାର ଜଳସ୍ତର ୧୦.୮୪
ମିଟର ରେକର୍ଡ କରାଯାଇଛି ଏବଂ ଏହା ମଧ୍ୟ ହ୍ରାସ ପାଉଥିବା ଧାରାରେ ରହିଛି।
ଆଜି ସକାଳ ସୁଦ୍ଧା ନରାଜଠାରେ ମହାନଦୀ, ସୁନ୍ଦରଗଡ଼ରେ ଇବ୍, ପାନପୋଷଠାରେ ବ୍ରାହ୍ମଣୀ, ଆନନ୍ଦପୁର ଓ ଅଖୁଆପଡ଼ାଠାରେ ବୈତରଣୀ, ଏନ୍ଏଚ୍-୫ଠାରେ ବୁଢ଼ାବଳଙ୍ଗ, ଗୁଣୁପୁରଠାରେ ବଂଶଧାରା ଏବଂ ମଥାନୀଠାରେ ଜଳକା ନଦୀର
ଜଳସ୍ତର ମଧ୍ୟ ହ୍ରାସ ପାଇଥିବା ରେକର୍ଡ କରାଯାଇଛି।
ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ଖୋଲା
ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୭.୨୯ ଫୁଟ୍ ରେକର୍ଡ କରାଯାଇଛି।
ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧,୪୧,୯୬୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୭୮,୪୨୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ
ଜଳଭଣ୍ଡାରର ୪ଟି ଗେଟ୍ ଖୋଲା ରହିଛି।
ଅନେକ ଜିଲ୍ଲାରେ ବଜ୍ରପାତ ଓ ଝଡ଼ବତାସ ପାଇଁ ୟେଲୋ ଆଲର୍ଟ
ଭାରତୀୟ ପାଣିପାଗ ବିଭାଗଅନୁଯାୟୀ, ଉତ୍ତର-ପୂର୍ବ
ମଧ୍ୟପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ଆଗାମୀ ୨୪
ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ଉତ୍ତରପ୍ରଦେଶ ଓ ଏହାର ସଂଲଗ୍ନ
ଉତ୍ତର ମଧ୍ୟପ୍ରଦେଶ ଅଞ୍ଚଳ ଆଡ଼କୁ ଅଗ୍ରସର ହୋଇପାରେ।
ଏହି ସମୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା
ଦୁଇଟି ସ୍ଥାନରେ ବଜ୍ରପାତ ସହ ଘଡ଼ଘଡ଼ି ଏବଂ ଘଣ୍ଟାପ୍ରତି ୩୦–୪୦ କିଲୋମିଟର ବେଗରେ ପବନ ବହିବାର
ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଲୋକମାନଙ୍କୁ ଘଡ଼ଘଡ଼ି ଓ ବଜ୍ରପାତ ସମୟରେ ସତର୍କ ରହିବା ସହ
ବଜ୍ରପାତରୁ ସୁରକ୍ଷା ପାଇଁ ନିରାପଦ ସ୍ଥାନରେ ଆଶ୍ରୟ ନେବାକୁ ଅପିଲ୍ କରାଯାଇଛି।
ସ୍ଥାନୀୟ ବନ୍ୟା ଓ ଜଳବନ୍ଦୀ ସ୍ଥିତିକୁ ନେଇ ପ୍ରଶାସନ ସଜାଗ
ଜିଲ୍ଲା ପ୍ରଶାସନକୁ ସ୍ଥାନୀୟ ସ୍ତରରେ ବନ୍ୟା ସ୍ଥିତି, ତଳିଆ ଅଞ୍ଚଳରେ ଜଳବନ୍ଦୀ, ଅଣ୍ଡରପାସ୍ ବନ୍ଦ ହେବା, ରାସ୍ତା କିମ୍ବା ଦୁର୍ବଳ ଢାଞ୍ଚାଗତ ନିର୍ମାଣର
ସମ୍ଭାବ୍ୟ କ୍ଷତି ଏବଂ ପ୍ରବଳ ବର୍ଷା କିମ୍ବା ବନ୍ୟା ଯୋଗୁଁ ଉଦ୍ୟାନ କୃଷି ଫସଲ ଓ ଠିଆ ଫସଲର
ସମ୍ଭାବ୍ୟ କ୍ଷତିକୁ ନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରଭାବିତ ଅଞ୍ଚଳରେ ସ୍ୱାଭାବିକ ସ୍ଥିତି ଫେରି ନଆସିବା ପର୍ଯ୍ୟନ୍ତ
ରିଲିଫ୍ ଓ ସହାୟତା କାର୍ଯ୍ୟ ଜାରି ରହିବ। ସମ୍ପୃକ୍ତ ଜିଲ୍ଲାଗୁଡ଼ିକରୁ ମିଳୁଥିବା ଚାହିଦା
ଆଧାରରେ ସମସ୍ତ ବନ୍ୟା ପ୍ରଭାବିତ ଜିଲ୍ଲାରେ ପଶୁ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି।
୨୪ ଘଣ୍ଟିଆ ନିରୀକ୍ଷଣ
ବିଶେଷ ରିଲିଫ୍ କମିଶନର (ଏସଆରସି) କାର୍ଯ୍ୟାଳୟ ଅଧୀନରେ ଥିବା ରାଜ୍ୟ ଜରୁରୀକାଳୀନ
ଅପରେସନ୍ କେନ୍ଦ୍ର ସମସ୍ତ ଜିଲ୍ଲା ଜରୁରୀକାଳୀନ
ଅପରେସନ୍ କେନ୍ଦ୍ରସହ ସମନ୍ୱୟ ରକ୍ଷା
କରି ସ୍ଥିତି ଉପରେ ୨୪×୭ ନଜର ରଖୁଛି।
ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବା ଏବଂ ବର୍ଷାର ପରିମାଣ କମିବାକୁ
ବନ୍ୟା ସ୍ଥିତିରେ ସୁଧାରର ସଙ୍କେତ ଭାବେ ଦେଖାଯାଉଛି। ପ୍ରଭାବିତ ଲୋକଙ୍କ ନିକଟରେ ବିନା
ବିଳମ୍ବରେ ଆବଶ୍ୟକ ସହାୟତା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ୨୪ ଘଣ୍ଟିଆ ନିରୀକ୍ଷଣ, ସମନ୍ୱିତ କ୍ଷେତ୍ରସ୍ତରୀୟ କାର୍ଯ୍ୟାନୁଷ୍ଠାନ ଏବଂ
ଆବଶ୍ୟକ ରିଲିଫ୍ ଓ ପୁନରୁଦ୍ଧାର ବ୍ୟବସ୍ଥା ସହ ଉଚ୍ଚସ୍ତରୀୟ ପ୍ରସ୍ତୁତି ବଜାୟ ରଖିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା