ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା, ଲକ୍ଷେରୁ ଅଧିକ ଟଙ୍କା ଜବତ
7 persons arrested in gambling case
ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା, ଲକ୍ଷେରୁ ଅଧିକ ଟଙ୍କା ଜବତ


ଝାରସୁଗୁଡ଼ା, 30 ସେପ୍ଟେମ୍ବର (ହି.ସ.) ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବାଦିମାଲ ଜଙ୍ଗଲ ଅଞ୍ଚଳରେ ଚାଲିଥିବା ଏକ ବେଆଇନ ଜୁଆ ଆଡ୍ଡା ଉପରେ ରେଙ୍ଗାଲି ପୁଲିସ ଚଢ଼ାଉ କରି ୭ ଜଣଙ୍କୁ ଧରିଛି। ସେମାନଙ୍କଠାରୁ ନଗଦ ୧ ଲକ୍ଷ ୨୬୦ ଟଙ୍କା, ୪ ସେଟ୍ ତାସ ଏବଂ ଗୋଟିଏ କଳା ରଙ୍ଗର ମ୍ୟାଟ୍ ଜବତ କରାଯାଇଛି।

ପୁଲିସ ସୂଚନା ଅନୁସାରେ, ୨୯ ସେପ୍ଟେମ୍ବର ବିଲମ୍ୱିତ୍ ରାତିରେ ବାଦିମାଲ ଜଙ୍ଗଲ ଅଞ୍ଚଳରେ ଟଙ୍କା ବାଜି ଲଗାଇ ଜୁଆ ଖେଳ ଚାଲିଥିବା ନେଇ ରେଙ୍ଗାଲି ପୁଲିସକୁ ବିଶ୍ୱସନୀୟ ସୂଚନା ମିଳିଥିଲା। ରେଙ୍ଗାଲି ଥାନା ଆଇଆଇସିଙ୍କ ନିର୍ଦ୍ଦେଶରେ ଏକ ପୁଲିସ ଟିମ୍ ଘଟଣାସ୍ଥଳକୁ ଯାଇଥିଲା। ରାସ୍ତାରେ ଦୁଇଜଣ ସ୍ଥାନୀୟ ସାକ୍ଷୀଙ୍କୁ ଚଢ଼ାଉରେ ସାମିଲ କରାଯାଇଥିଲା।ପୁଲିସ ଟିମ୍ ପ୍ରାୟ ଅପରାହ୍ନ ୪ଟା ୧୦ମିନିଟ୍ରେ ବାଦିମାଲ ଜଙ୍ଗଲରେ ପହଞ୍ଚି ଦେଖିଥିଲା ଯେ, କିଛି ବ୍ୟକ୍ତି ତାସ ଖେଳି ଟଙ୍କା ବାଜି ଲଗାଉଥିଲେ। ପରେ ପୁଲିସ ସାକ୍ଷୀଙ୍କ ଉପସ୍ଥିତିରେ ଚଢ଼ାଉ କରି ୭ ଜଣଙ୍କୁ ଧରିଥିଲା।ଧରାପଡ଼ିଥିବା ବ୍ୟକ୍ତିମାନେ ହେଲେ ମହାପାଲିର ପପ୍ପୁ ଓରଫ ମନୋଜ ପଧାନ (୪୬), ଜୁର୍ଡାର ଜୟଦେବ ଗୁପ୍ତା (୪୩), ଜାମଗାଁର ନିଖିଲ ଅଗ୍ରୱାଲ (୪୭), ବନୋରାର ଅମର ସାହୁ (୩୫), ଲୋଇଙ୍ଗର ବଚସ ବିଶ୍ୱାଳ (୩୬), ଜୁର୍ଡା କଲମିଢିପାର ଜୟପ୍ରକାଶ ପ୍ରଧାନ (୪୫) ଏବଂ ଛତିଶଗଡ଼ର ରାୟଗଡ଼ ଜିଲ୍ଲା, ତମନାର ଥାନା ଅଧୀନ ରାଇବରାର ଅଙ୍କିତ ବେହେରା (୨୯)।ଚଢ଼ାଉ ସମୟରେ ୪ ସେଟ୍ ତାସ, ଗୋଟିଏ କଳା ରଙ୍ଗର ମ୍ୟାଟ୍ ଏବଂ ବିଭିନ୍ନ ମୂଲ୍ୟର ନୋଟ୍ରେ ମୋଟ ୧,୦୦,୨୬୦ ଟଙ୍କା ଜବତ ହୋଇଥିଲା। ଏହାସହ ଧରାପଡ଼ିଥିବା ବ୍ୟକ୍ତିମାନଙ୍କ ଠାରୁ ଏକାଧିକ ମୋବାଇଲ୍ ଫୋନ୍ ଓ ଗାଡ଼ି ମଧ୍ୟ ଜବତ କରାଯାଇଛି। ଜବତ ଗାଡ଼ିଗୁଡ଼ିକ ମଧ୍ୟରେ ଓଡ଼ିଶା ଓ ଛତିଶଗଡ଼ ନମ୍ବର ଥିବା ମୋଟରସାଇକେଲ୍ ଏବଂ ଏକ ଇଲେକ୍ଟ୍ରିକ୍ ସ୍କୁଟି ରହିଛି।

ପୁଲିସ ଅନୁସାରେ, ଧରାପଡ଼ିଥିବା ବ୍ୟକ୍ତିମାନେ ବ୍ୟକ୍ତିଗତ ଲାଭ ଉଦ୍ଦେଶ୍ୟରେ ଟଙ୍କା ବାଜି ଲଗାଇ ତାସ ଖେଳୁଥିବା ସ୍ୱୀକାର କରିଥିଲେ। ଏହି ଘଟଣାରେ ରେଙ୍ଗାଲି ଥାନାରେ ଓଡ଼ିଶା ଜୁଆ ନିରୋଧ ଆଇନର ଧାରା ୩ ସହ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୧୧୨(୨) ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।ରେଙ୍ଗାଲି ପୁଲିସ ଅଞ୍ଚଳରେ ବେଆଇନ ଜୁଆ ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପ ବିରୋଧରେ ଆଗାମୀ ଦିନରେ ମଧ୍ୟ କଠୋର ଆଇନଗତ ପଦକ୍ଷେପ ନିଆଯିବ ବୋଲି କହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande