ଦୁର୍ଗାପୂଜା ପାଇଁ ଜିଲ୍ଲାସ୍ତରୀୟ ଶାନ୍ତି କମିଟି ବୈଠକ; ଜିଲ୍ଲାରେ ଡିଜେ ଓ ଲେଜର ଲାଇଟ୍ ଉପରେ ସମ୍ପୂର୍ଣ ବ୍ୟାନ
Duga puja peace committee meeting
ଦୁର୍ଗାପୂଜା ପାଇଁ ଜିଲ୍ଲାସ୍ତରୀୟ ଶାନ୍ତି କମିଟି ବୈଠକ; ଜିଲ୍ଲାରେ


ଝାରସୁଗୁଡ଼ା, ୨୯ ସେପ୍ଟେମ୍ବର (ହି.ସ.) ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ମହୋତ୍ସବକୁ ଶାନ୍ତିଶୃଙ୍ଖଳା, ଭାଇଚାରା ଓ ନିରାପଦ ଭାବେ ପାଳନ କରିବା ଉଦ୍ଦେଶ୍ୟରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ତଥା ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଡିଏମଏଫ ଅଡିଟୋରିୟମ ହଲ୍ରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତା ତଥା ଆରକ୍ଷୀ ଅଧୀକ୍ଷକ ଜି. ଆର୍. ରାଘବେନ୍ଦ୍ରଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ତଥା ଉନ୍ନୟନ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଲଳିତ ସୋରେଙ୍ଗଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ପୂଜା କମିଟିର କର୍ମକର୍ତ୍ତା, ବିଭିନ୍ନ ସଂଗଠନ ଓ ସ୍ୱେଚ୍ଛାସେବୀ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ପୂଜା ସମୟରେ ଜନସାଧାରଣଙ୍କ ସୁରକ୍ଷା ଓ ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କେତେକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ପୂଜା ମଣ୍ଡପରେ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରାଯାଇଛି ଏବଂ ଜନଗହଳି ପୂର୍ଣ୍ଣ ଅଞ୍ଚଳ ତଥା ଶୋଭାଯାତ୍ରା ଉପରେ ଡ୍ରୋନ୍ କ୍ୟାମେରା ଜରିଆରେ କଡ଼ା ନଜର ରଖାଯିବ। ପୂଜା ଶୋଭାଯାତ୍ରା କିମ୍ବା ପ୍ରଚାରରେ ବ୍ୟବହୃତ ହେଉଥିବା ମୋଡିଫାଏଡ୍ (ପରିବର୍ତ୍ତିତ) ଗାଡ଼ିଗୁଡ଼ିକୁ ଆରଟିଓ ଯାଞ୍ଚ କରିବେ। ଏଥିସହ ପ୍ରତ୍ୟେକ ପୂଜା କମିଟି ନିଜର ସ୍ୱେଚ୍ଛାସେବୀମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ସ୍ଥାନୀୟ ଥାନା ଓ ଏସପିଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇନ ଶୃଙ୍ଖଳା ପରିଚାଳନା ପାଇଁ ସମ୍ବେଦନଶୀଳ ପୂଜା ମଣ୍ଡପଗୁଡ଼ିକରେ ଏଏସଆଇ କିମ୍ବା ଏସଆଇ ପାହ୍ୟାର ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯିବ। ଧ୍ୱନି ପ୍ରଦୂଷଣ ଓ ଦୁର୍ଘଟଣା ଏଡ଼ାଇବା ପାଇଁ ଜିଲ୍ଲାରେ ଡିଜେ ଏବଂ ଲେଜର ଲାଇଟ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ନିର୍ଦ୍ଧାରିତ ମାନଦଣ୍ଡ ଓ ଅନୁମତି ଅନୁସାରେ ହିଁ ମାଇକ୍ ବ୍ୟବହାର କରାଯାଇପାରିବ। ସେହିପରି ଆଇନ ଶୃଙ୍ଖଳା ରକ୍ଷା ତଥା ଅପ୍ରୀତିକର ପରିସ୍ଥିତି କିମ୍ବା ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ଲକ୍ଷ୍ୟରେ ଚଳିତ ବର୍ଷ ମନମୋହନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଡ଼ିଆରେ ପାରମ୍ପରିକ 'ରାବଣ ପୋଡ଼ି' କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ପୂଜା କମିଟିଗୁଡ଼ିକର ସୁବିଧା ତଥା ବିଭିନ୍ନ ବିଭାଗୀୟ ଅନୁମତି ପ୍ରକ୍ରିୟାକୁ ସରଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ 'ସିଙ୍ଗଲ ୱିଣ୍ଡୋ ସିଷ୍ଟମ୍' ଆରମ୍ଭ କରାଯାଉଛି। ଆସନ୍ତା ଅକ୍ଟୋବର ୩ ତାରିଖରୁ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ସ୍ୱତନ୍ତ୍ର କାଉଣ୍ଟର କାର୍ଯ୍ୟକ୍ଷମ ହେବ। ଏହା ମାଧ୍ୟମରେ ପୂଜା ମଣ୍ଡପ ନିର୍ମାଣ, ବିଦ୍ୟୁତ ସଂଯୋଗ, ଅଗ୍ନିଶମ ସୁରକ୍ଷା ଏବଂ ଧ୍ୱନି ପ୍ରଦୂଷଣ ନିୟନ୍ତ୍ରଣ ଭଳି ଆବଶ୍ୟକୀୟ ସମସ୍ତ ସରକାରୀ ଅନୁମତି ପତ୍ର କମିଟିଗୁଡ଼ିକ ଗୋଟିଏ ସ୍ଥାନରୁ ହିଁ ସହଜରେ ହାସଲ କରିପାରିବେ, ଯାହା ଫଳରେ ସେମାନଙ୍କୁ ବିଭିନ୍ନ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ।

ପ୍ରଶାସନର ଏହିସବୁ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରି ଶାନ୍ତିପୂର୍ଣ୍ଣ ଭାବେ ପୂଜା ସମାପନ କରିବାକୁ ଜିଲ୍ଲାପାଳ ଓ ଏସପି ସମସ୍ତ ପୂଜା କମିଟି ତଥା ସାଧାରଣ ଜନତାଙ୍କ ସହଯୋଗ କାମନା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande