
ଝାରସୁଗୁଡ଼ା, 30 ସେପ୍ଟେମ୍ବର (ହି.ସ.) ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ୍ରମେ ତଥା ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅନ୍ତର୍ଗତ ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ୯୬୭ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ତିନି ଦିନ ଧରି ‘ଆଙ୍ଗନ କା ଉତ୍ସବ’ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରଗୁଡ଼ିକୁ ରଙ୍ଗାରଙ୍ଗ ଭାବେ ସଜ୍ଜିତ କରାଯାଇ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି କରାଯାଇଥିବା ବେଳେ ଶିଶୁ, ଅଭିଭାବକ, ଆଙ୍ଗନୱାଡ଼ି କର୍ମୀ, ସହାୟିକା ତଥା ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ଏହି ତିନି ଦିନିଆ ଅଭିଯାନ ମାଧ୍ୟମରେ ଜିଲ୍ଲାର ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ଶିଶୁଙ୍କ ପୋଷଣ, ସ୍ୱାସ୍ଥ୍ୟ, ପରିଚ୍ଛନ୍ନତା, ନିୟମିତ ବୃଦ୍ଧି ମାପନ ଏବଂ ପ୍ରାରମ୍ଭିକ ଯତ୍ନ ଓ ଶିକ୍ଷା ସମ୍ପର୍କରେ ସଚେତନ କରାଯାଇଛି। ଏହି ଉତ୍ସବର ଏକ ଅଭିନବ ତଥା ପ୍ରମୁଖ ଆକର୍ଷଣ ଥିଲା ପିତାମାନଙ୍କ ଦ୍ୱାରା ‘ରେସିପି ଡେମୋନଷ୍ଟ୍ରେସନ୍’ (ଖାଦ୍ୟ ପ୍ରସ୍ତୁତି ପ୍ରଦର୍ଶନ)। ଅଭିଭାବକମାନେ ନିଜ ଘରେ ସୁଲଭ ମୂଲ୍ୟରେ ଉପଲବ୍ଧ ସ୍ଥାନୀୟ ଖାଦ୍ୟ ସାମଗ୍ରୀକୁ ବ୍ୟବହାର କରି କିପରି ସ୍ୱଳ୍ପ ଖର୍ଚ୍ଚରେ ସ୍ୱାଦିଷ୍ଟ ଓ ପୁଷ୍ଟିକର ଆହାର ପ୍ରସ୍ତୁତ କରାଯାଇପାରିବ, ତାହାର ପ୍ରତ୍ୟକ୍ଷ ପ୍ରଦର୍ଶନ କରିଥିଲେ। ପିଲାମାନଙ୍କୁ ଅତ୍ୟଧିକ ଚିନି ବା ଶର୍କରାଯୁକ୍ତ ଖାଦ୍ୟ ଓ ପାନୀୟଠାରୁ ଦୂରରେ ରଖିବାକୁ ସଚେତନ କରାଯାଇ ସମସ୍ତ କେନ୍ଦ୍ରରେ ମିଲେଟ୍ରୁ ପ୍ରସ୍ତୁତ ବିସ୍କୁଟ, ସ୍ୱାସ୍ଥ୍ୟପ୍ରଦ ଲସି ଓ ତାଜା ଫଳ ବଣ୍ଟନ କରାଯାଇଥିଲା। ଏଥିସହ କେନ୍ଦ୍ରରେ ଉପଲବ୍ଧ ଶିକ୍ଷଣୀୟ ଖେଳଣା, ‘ସୁଖଦ ଲାଳନ ପାଳନ’ ଏବଂ ‘ଆମ କୁନି ପିଲା’ ପୁସ୍ତିକା ପ୍ରଦର୍ଶନ କରାଯାଇ ଆଙ୍ଗନୱାଡ଼ି କେନ୍ଦ୍ରକୁ କେବଳ ଏକ ପୋଷଣ କେନ୍ଦ୍ର ନୁହେଁ, ବରଂ ପରିବାର ଓ ସମୁଦାୟର ସକ୍ରିୟ ଭାଗିଦାରିତାର କେନ୍ଦ୍ର ଭାବେ ଗଢ଼ିତୋଳିବାକୁ ଉତ୍ସାହିତ କରାଯାଇଥିଲା।
ଉଦ୍ଯାପନୀ ଦିବସରେ ରେସିପି ପ୍ରଦର୍ଶନରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଅଭିଭାବକମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହିତ ସମାଜ ପ୍ରତି ନିରନ୍ତର ସେବା ଯୋଗାଇ ଆସୁଥିବା ଆଙ୍ଗନୱାଡ଼ି କର୍ମୀ, ସହାୟିକା ଏବଂ ଆଶା କର୍ମୀମାନଙ୍କୁ ଆଙ୍ଗନୱାଡ଼ି ପର୍ଯ୍ୟବେକ୍ଷଣ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ଉପସ୍ଥିତ ସମସ୍ତ ଅଭିଭାବକଙ୍କୁ ପ୍ରାକ୍-ବିଦ୍ୟାଳୟ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଗରମ ରନ୍ଧା ଖାଦ୍ୟ ପରିବେଷଣ କରାଯାଇଥିଲା। ଜିଲ୍ଲା ଓ ପ୍ରକଳ୍ପ ସ୍ତରୀୟ ବରିଷ୍ଠ ଅଧିକାରୀମାନେ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରି କାର୍ଯ୍ୟକ୍ରମର ତଦାରଖ କରିଥିଲେ। ସମଗ୍ର ଜିଲ୍ଲାରେ ଆୟୋଜିତ ଏହି ମିଳିତ ପ୍ରୟାସ ଶିଶୁଙ୍କ ସାମଗ୍ରିକ ବିକାଶ ଓ ପୋଷଣ ନିରାପତ୍ତା ଦିଗରେ ସମୁଦାୟକୁ ଅଧିକ ଦାୟିତ୍ୱବାନ କରିପାରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ