
ଝାରସୁଗୁଡ଼ା, 30 ସେପ୍ଟେମ୍ବର (ହି.ସ.) ଝାରସୁଗୁଡ଼ା ଜିଲ୍ଲାରେ ବିଜୁ ଜନତା ଦଳ (ବିଜେଡି)ର ସଂଗଠନକୁ ଅଧିକ ସୁଦୃଢ଼ କରିବା ନେଇ ଦଳୀୟ ନେତୃତ୍ୱଙ୍କ ମଧ୍ୟରେ ଆଲୋଚନା ହୋଇଛି। ଭୁବନେଶ୍ୱରସ୍ଥିତ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ସାଧାରଣ ସମ୍ପାଦିକା ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ ବରିଷ୍ଠ ନେତ୍ରୀ ସୁଜାତା ରାଉତଙ୍କୁ ସାକ୍ଷାତ କରି ବିଭିନ୍ନ ଦଳୀୟ ଓ ଜନସ୍ୱାର୍ଥ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।
ବୈଠକରେ ଝାରସୁଗୁଡ଼ା ଜିଲ୍ଲାରେ ବିଜେଡି ସଂଗଠନକୁ ତୃଣମୂଳସ୍ତରରେ ଅଧିକ ମଜବୁତ କରିବା, କର୍ମୀଙ୍କୁ ସକ୍ରିୟ କରିବା ଏବଂ ଜନସାଧାରଣଙ୍କ ସମସ୍ୟାକୁ ନେଇ ଦଳୀୟ ଭାବେ ଆଗକୁ ବଢ଼ିବା ନେଇ ଚର୍ଚ୍ଚା ହୋଇଥିବା ଜଣାପଡ଼ିଛି।ଏହା ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ଅଣାଯାଇଥିବା ଏମ୍ଏମ୍ଡିଆର୍ ବିଲ୍ ସମ୍ପର୍କରେ ମଧ୍ୟ ଦୁଇ ନେତ୍ରୀ ଆଲୋଚନା କରିଥିଲେ। ଏଥିସହ ଝାରସୁଗୁଡ଼ା ସମେତ ରାଜ୍ୟର ବିଭିନ୍ନ ଜନସମସ୍ୟା ଉପରେ ମଧ୍ୟ ମତବିନିମୟ ହୋଇଥିଲା।ବିଶେଷକରି ବହୁ ବୃଦ୍ଧବୃଦ୍ଧାଙ୍କୁ ପେନ୍ସନ୍ ମିଳୁନଥିବା, ଏସ୍ଆଇଆର୍ ପ୍ରକ୍ରିୟାରେ ନାମ ବାଦ୍ ପଡ଼ିବା, ମଣ୍ଡିରେ ଧାନ ବିକ୍ରି ସମୟରେ ଚାଷୀଙ୍କ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ମନ୍ଥରତା ଆଦି ପ୍ରସଙ୍ଗ ବୈଠକରେ ଉଠିଥିଲା। ସୁଜାତା ରାଉତ ଝାରସୁଗୁଡ଼ା ଜିଲ୍ଲା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ସଂଗଠନକୁ ଆହୁରି ସୁଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ। ଦୀପାଳି ଦାସଙ୍କ ନେତୃତ୍ୱରେ ଝାରସୁଗୁଡ଼ାରେ ବିଜେଡି ସଂଗଠନ ଆହୁରି ମଜବୁତ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଏହି ଆଲୋଚନାରେ ଦୀପାଳି ଦାସଙ୍କ ସହ ତାଙ୍କ ଭାଇ ତଥା ଝାରସୁଗୁଡ଼ାର ସମାଜସେବୀ ଓ ଯୁବନେତା ବିଶାଳ ଦାସଙ୍କ ସମେତ ଜିଲ୍ଲା ମହିଳା ସଭାନେତ୍ରୀ, କୋଲାବିରା, କିର୍ମିରା, ଲାଇକେରା ଓ ଝାରସୁଗୁଡ଼ା ବ୍ଲକ୍ ସଭାପତି, ଟାଉନ୍ ସଭାପତି ଏବଂ ଜିଲ୍ଲା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ