
ଝାରସୁଗୁଡ଼ା, ୩୦ ସେପ୍ଟେମ୍ବର (ହି.ସ.) ଝାରସୁଗୁଡ଼ା ସହର ଓ ବିମାନବନ୍ଦରରେ ମହିଳା ବୁଣାକାର କେନ୍ଦ୍ର, କ୍ରାଫ୍ଟ ଫାସିଲିଟେସନ୍ ସେଣ୍ଟର ଏବଂ ବୟନିକା ଶୋ’ରୁମ୍ ପ୍ରତିଷ୍ଠା ପାଇଁ ଦାବି ହୋଇଛି। ଏନେଇ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଭୁବନେଶ୍ୱରରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଦାବିପତ୍ରରେ ଝାରସୁଗୁଡ଼ା ଜିଲ୍ଲାର ମହିଳା ବୁଣାକାରଙ୍କ ପାଇଁ କାର୍ଯ୍ୟସ୍ଥଳ, ପ୍ରଶିକ୍ଷଣ, ଡିଜାଇନ୍ ସହାୟତା, କଞ୍ଚାମାଲ ଏବଂ ବଜାର ସଂଯୋଗ ଯୋଗାଇବା ଉଦ୍ଦେଶ୍ୟରେ ଏକ ମହିଳା ବୁଣାକାର କେନ୍ଦ୍ର ସ୍ଥାପନ ପ୍ରସ୍ତାବ ଦିଆଯାଇଛି।
ସେହିପରି ସ୍ଥାନୀୟ କାରିଗର ଓ ବୁଣାକାରଙ୍କ ଉତ୍ପାଦର ଗୁଣବତ୍ତା ବୃଦ୍ଧି, ନୂତନ ଡିଜାଇନ୍ ବିକାଶ ଏବଂ ଉତ୍ପାଦରେ ବିବିଧତା ଆଣିବା ପାଇଁ ଏକ କ୍ରାଫ୍ଟ ଫାସିଲିଟେସନ୍ ସେଣ୍ଟର ପ୍ରତିଷ୍ଠା କରିବାକୁ ବିଧାୟକ ଦାବି କରିଛନ୍ତି।
ଏହାବ୍ୟତୀତ ଝାରସୁଗୁଡ଼ା ସହରରେ ଏକ ପୂର୍ଣ୍ଣାଙ୍ଗ ବୟନିକା ଶୋ’ରୁମ୍ ସହ ଝାରସୁଗୁଡ଼ା ବିମାନବନ୍ଦରରେ ଆଉ ଏକ ଶୋ’ରୁମ୍ ସ୍ଥାପନ ପାଇଁ ଅନୁରୋଧ କରାଯାଇଛି। ଏହି ଶୋ’ରୁମ୍ ମାଧ୍ୟମରେ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀକୁ ସ୍ଥାନୀୟ ଲୋକ, ଶିଳ୍ପ କର୍ମଚାରୀ, ପର୍ଯ୍ୟଟକ ଓ ବିମାନ ଯାତ୍ରୀଙ୍କ ନିକଟରେ ପହଞ୍ଚାଇବା ସହ ବୁଣାକାରଙ୍କ ପାଇଁ ନୂତନ ବଜାର ସୁଯୋଗ ସୃଷ୍ଟି କରାଯାଇପାରିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ବିଧାୟକ ତ୍ରିପାଠୀ ଉକ୍ତ ପ୍ରସ୍ତାବଗୁଡ଼ିକୁ ଅନୁକୂଳ ଭାବେ ବିଚାର କରି ଶୀଘ୍ର ପଦକ୍ଷେପ ନେବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ