
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୮ତମ ବଳିଦାନ ସ୍ମୃତି ସମାରୋହ
କେନ୍ଦ୍ରାପଡ଼ା, ୦୪ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଇଚ୍ଛାପୁର ଯାତ୍ରୀ ନିବାସ ପରିସରରେ ଧର୍ମ ରକ୍ଷା ଦିବସ ଅବସରରେ ବ୍ରହ୍ମଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୮ତମ ବଳିଦାନ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି। ଧର୍ମଜାଗରଣ ସମନ୍ୱୟ ପକ୍ଷରୁ ଆୟୋଜିତ ଏହି ସମାରୋହରେ ଧର୍ମ, ସଂସ୍କୃତି, ସମାଜ ଓ ଆଧ୍ୟାତ୍ମିକ କ୍ଷେତ୍ରର ବିଭିନ୍ନ ବ୍ୟକ୍ତିବିଶେଷ ଯୋଗଦେଇ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍ମୃତିଚାରଣ କରିଥିଲେ। ସମାରୋହରେ ଶିବାନନ୍ଦ ଆଶ୍ରମ, ଗରାପୁରର ସାଧ୍ୱୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ, କଥାକାର ତଥା ରାମଚରିତମାନସ ପଣ୍ଡିତ ହୃଷିକେଶ ରଥ, ଧ୍ରୁବଚରଣ ବେହେରା, ଚକାପାଦ ସଂସ୍କୃତ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ବିଭୂତି ଭୂଷଣ ପଟ୍ଟନାୟକ ଏବଂ ବିଶିଷ୍ଟ ସମାଜସେବୀ ସ୍ୱାମୀ ବିଶ୍ୱସ୍ୱରୂପାନନ୍ଦ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିମାନେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଧାର୍ମିକ, ସାମାଜିକ ଓ ଆଧ୍ୟାତ୍ମିକ ଅବଦାନ ଉପରେ ଆଲୋକପାତ କରିବା ସହ ଧର୍ମ ଓ ସଂସ୍କୃତିର ସୁରକ୍ଷା ଦିଗରେ ସମାଜର ଭୂମିକା ସମ୍ପର୍କରେ ମତ ରଖିଥିଲେ। ସ୍ୱାମୀଜୀଙ୍କ ଆଦର୍ଶ ଓ ସେବାମୂଳକ କାର୍ୟ୍ୟକୁ ସ୍ମରଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ଧର୍ମଜାଗରଣ ଜିଲ୍ଲା ପ୍ରମୁଖ ରାଜେନ୍ଦ୍ର ଗିରି, ଜିଲ୍ଲା ସହ-ସଂଯୋଜକ ଶଶାଙ୍କ କୁମାର ଜେନା, ନଗର ପ୍ରମୁଖ ଅଭିଜିତ ଦାସ, ଜିଲ୍ଲା ପ୍ରଶାସନିକ ପ୍ରମୁଖ ମାଧବ ଚନ୍ଦ୍ର ପ୍ରଧାନ, ସମାଜସେବୀ ଶୁଭେନ୍ଦୁ ପତ୍ରି, ସୁଶୀଲ ଦାସ, ଲକ୍ଷ୍ମୀ ସାଗର ମହାନ୍ତି, ଜ୍ଞାନ ରଞ୍ଜନ ଦାସ, ପ୍ରଦୀପ ସାମଲ, ପଙ୍କଜ ପ୍ରଧାନ, ପୁନଃଚନ୍ଦ୍ର ଦାସ, ବିନୟ ସ୍ୱାଇଁ ଏବଂ ଛେଦ୍ରା ମଠାଧୀଶ ଯଶବନ୍ତ ମହାରାଜ ପ୍ରମୁଖ ଯୋଗଦେଇ ନିଜ ନିଜର ମତ ଓ ବକ୍ତବ୍ୟ ରଖିଥିଲେ। କାର୍ୟ୍ୟକ୍ରମରେ ଶ୍ରଦ୍ଧାଳୁ, ଆୟୋଜକ ଓ ବିଭିନ୍ନ ବର୍ଗର ଲୋକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଓ ତାଙ୍କ ଆଦର୍ଶକୁ ସ୍ମରଣ କରି ଆୟୋଜିତ ଏହି ସମାରୋହ ଧର୍ମ, ସଂସ୍କୃତି ଓ ସାମାଜିକ ମୂଲ୍ୟବୋଧ ପ୍ରତି ସଚେତନତାର ବାର୍ତା ଦେଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ରବି