
କେନ୍ଦୁଝର, ୦୪ ସେପ୍ଟେମ୍ବର(ହି.ସ.) – ଝୁମ୍ପୁରା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଜନ୍ମାଷ୍ଟମୀ ଉତ୍ସବ ମହାଆଡ଼ମ୍ବର ସହକାରେ ପାଳନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପାଲା ଗାୟକ ତଥା ଅମ୍ଳାନୀଗୁଡ଼ା ୟୁ.ପି. ସ୍କୁଲର ପ୍ରଧାନଶିକ୍ଷକ ରତ୍ନାକର ବାରିକ ଦୀପ ପ୍ରଜ୍ଜଳନ କରି ଆମ ସମସ୍ତଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିବା ସଙ୍ଗେ ସଙ୍ଗେ ଶ୍ରୀକୃଷ୍ଣ ଠାକୁରଙ୍କର ଜନ୍ମ ବୃତାନ୍ତ କଥା ସୁନ୍ଦର ଭାବେ ବକ୍ତବ୍ୟରେ ରଖିଥିଲେ। ବିଦ୍ୟାଳୟର ଆଚାର୍ଯ୍ୟ ସହଦେବ ବାରିକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ସମ୍ପାଦକ ବିନୟ କୁମାର ସାହୁ ଓ ସହ ସମ୍ପାଦକ ହେମନ୍ତ କୁମାର ବେହେରା ଯୋଗଦାନ କରି ଶିଶୁ ଭାଇ ଭଉଣୀମାନଙ୍କର ଆଗାମୀ ଭବିଷ୍ୟତ ପାଇଁ ଶୁଭ କାମନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଉତ୍ସବଟି ସୁରୁଖୁରୁରେ ଚାଲିଥିଲା। ଏହି ଉତ୍ସବରେ ଶ୍ରୀକୃଷ୍ଣ ଭୂମିକାରେ ମୋଟ ୧୩୨ ଜଣ ଶିଶୁ ଭାଇ ଭଉଣୀ ଉପସ୍ଥିତ ଥିଲେ। ଶ୍ରୀକୃଷ୍ଣ ବେଶଧାରୀ ଭାଇ ଭଉଣୀମାନଙ୍କୁ ୩ଟି ଭାଗରେ ବିଭକ୍ତ କରାଯାଇ ଅର୍ଶଳା, ରାଇକଳା ଓ ଝୁମ୍ପୁରା ଏହି ୩ଟି ଗ୍ରାମରେ ସଂକୀର୍ତନ ଦଳର ଭାଇମାନଙ୍କର ମୃଦଙ୍ଗ ବାଦ୍ୟର ତାଳେ ତାଳେ ନଗର ପରିକ୍ରମା କରାଯାଇଥିଲା। ନଗର ପରିକ୍ରମା ପରେ ଗୋପୁରମ୍ ସାଥିରେ ଦଧି ହାଣ୍ଡି ଭଙ୍ଗା ଯାଇଥିଲା। ବିଦ୍ୟାଳୟର ଅବଶିଷ୍ଟ ଭାଇ ଭଉଣୀମାନଙ୍କୁ ନେଇ ଗୀତା ପାଠ ଓ ଭାଗବତ ଉପରେ କୁଇଜ ପ୍ରତିଯୋଗିତା କରାଯାଇଥିଲା। ଏଥିରେ ସମସ୍ତ ଗୁରୁଜୀ, ଗୁରୁମା, ସେବକ ଓ ସେବିକା ଉପସ୍ଥିତ ରହି କାର୍ଯ୍ୟଟିକୁ ସଫଳ କରିଥିଲେ। କାର୍ଯ୍ୟଟିକୁ ପରିଚାଳନା କରିଥିଲେ ଆଚାର୍ଯ୍ୟ ପ୍ରହ୍ଲାଦ ମହାନ୍ତ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଆଚାର୍ଯ୍ୟ ଦୁଷ୍ମନ୍ତ କୁମାର ପ୍ରଧାନ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA