କଲଭର୍ଟ ମଝିରେ ବିରାଟ ଗର୍ତ୍ତ, ଦୁର୍ଘଟଣା ଆଶଙ୍କାରେ ଯାତ୍ରୀ
A huge pothole in the middle of the culvert
କଲଭର୍ଟ ମଝିରେ ବିରାଟ ଗର୍ତ୍ତ


ଝାରସୁଗୁଡ଼ା, ୭ ସେପ୍ଟେମ୍ବର (ହି.ସ.)- କୋଲାବିରା ବ୍ଲକ ଅନ୍ତର୍ଗତ ପରମାଣପୁର ଗ୍ରାମର ବେଦମନ୍ଦିର ଦେଇ କୋଲାବିରା ପଞ୍ଚାୟତର ସାହ୍ଲେପାଲିକୁ ସଂଯୋଗ କରୁଥିବା ରାସ୍ତାର ବଞ୍ଜାରିମୁଣ୍ଡା ନିକଟସ୍ଥ ପୁରୁଣା କଲଭର୍ଟ ଏବେ ମରଣଯନ୍ତା ପାଲଟିଛି। କଲଭର୍ଟର ମଝି ଭାଗରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକେ ଦୁର୍ଘଟଣା ଆଶଙ୍କାରେ ରହିଛନ୍ତି।

ସୂଚନା ଅନୁଯାୟୀ, କଲଭର୍ଟଟି ବହୁ ବର୍ଷ ପୁରୁଣା ହୋଇଥିବା ବେଳେ ଦୀର୍ଘଦିନ ଧରି ଏହାର ମରାମତି କରାଯାଇନାହିଁ। ଫଳରେ ଦିନକୁ ଦିନ ଏହାର ଅବସ୍ଥା ଦୁର୍ବଳ ହେବାରେ ଲାଗିଛି। ବର୍ତ୍ତମାନ କଲଭର୍ଟର ମଝିରେ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଦୁଇଚକିଆ ଯାନ ସମେତ ଅନ୍ୟ ଯାନବାହାନ ଚଳାଚଳ ବେଳେ ଗୁରୁତର ସମସ୍ୟା ଉପୁଜୁଛି। ବିଶେଷକରି ରାତି ସମୟରେ ଗର୍ତ୍ତଟି ସହଜରେ ଦୃଷ୍ଟିଗୋଚର ହେଉନଥିବାରୁ ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକ ଯାତାୟାତ କରୁଛନ୍ତି। ବର୍ଷା ଋତୁକୁ ଛାଡ଼ି ଅନ୍ୟ ସମୟରେ ସାହ୍ଲେପାଲି, ଭେଜିକୁଦ, ତରେକେଲା ଓ ସମାସିଂହା ଅଞ୍ଚଳର ଲୋକଙ୍କ ପାଇଁ ଏହା ଏକ ପ୍ରମୁଖ ଯାତାୟାତ ରାସ୍ତା। ଏଥିସହ ସ୍ଥାନୀୟ ବେଦାନ୍ତ ଆଲୁମିନିୟମ କାରଖାନାରେ କାର୍ଯ୍ୟରତ ଶତାଧିକ ଶ୍ରମିକ ମଧ୍ୟ ଏହି ରାସ୍ତା ଉପରେ ନିର୍ଭରଶୀଳ। ରାସ୍ତାଟି ପଞ୍ଚାୟତ ଅଧୀନରେ ଥିବାବେଳେ କଲଭର୍ଟର ଦୁରବସ୍ଥା ସମ୍ପର୍କରେ ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।

ଗ୍ରାମର ଶ୍ରୀବତ୍ସ ପଧାନ, ଜୟକୃଷ୍ଣ ପଧାନ, ଜିତେନ୍ଦ୍ର ପଧାନ, ନିତ୍ୟାନନ୍ଦ ପଧାନ, ଭମର ସେଟ, ସତ୍ୟବାନ ପଧାନ ଓ ରୋହିତ ସେଟଙ୍କ ସମେତ ସ୍ଥାନୀୟ ଲୋକେ କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ କଲଭର୍ଟର ତୁରନ୍ତ ମରାମତି କରିବା ସହ ଯାତାୟାତ ପାଇଁ ସୁରକ୍ଷିତ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande