ବନ୍ଧବାହାଲରେ ନଭେମ୍ବର ୧୭ରୁ ବିପିଏଲ୍, ଅକ୍ଟୋବର ୪ରେ ଖେଳାଳି ନିଲାମ
Bandhbahal premiere league
ବନ୍ଧବାହାଲରେ ନଭେମ୍ବର ୧୭ରୁ ବିପିଏଲ୍, ଅକ୍ଟୋବର ୪ରେ ଖେଳାଳି ନିଲାମ


ଝାରସୁଗୁଡ଼ା, ୭ ସେପ୍ଟେମ୍ବର (ହି.ସ.)- ବିଓସିଏମ୍ ବଏଜ୍ କ୍ରିକେଟ ଆଣ୍ଡ ସ୍ପୋର୍ଟସ ଆସୋସିଏସନ୍ ପକ୍ଷରୁ ଆୟୋଜିତ ‘ବନ୍ଧବାହାଲ ପ୍ରିମିୟର ଲିଗ୍’ (ବିପିଏଲ୍) ଆସନ୍ତା ନଭେମ୍ବର ୧୭ରୁ ଆରମ୍ଭ ହେବ। ଏହାକୁ ନେଇ ସ୍ଥାନୀୟ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।

ଆସୋସିଏସନ୍ ସଭାପତି ପ୍ରଶାନ୍ତ ଭାରତୀ ଓ ସମ୍ପାଦକ ଋଷିକାନ୍ତ କାଶ୍ୟପଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି। ଚଳିତ ସଂସ୍କରଣରେ ମୋଟ ୮ଟି ଫ୍ରାଞ୍ଚାଇଜ୍ ଦଳ ଅଂଶଗ୍ରହଣ କରିବେ। ଟି-୨୦ ଫର୍ମାଟ୍ରେ ଖେଳାଯିବାକୁ ଥିବା ଏହି ଲିଗ୍ ପାଇଁ ଆୟୋଜକ କମିଟି ଓ ଫ୍ରାଞ୍ଚାଇଜ୍ ମାଲିକମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ସେପ୍ଟେମ୍ବର ୨୫ରେ ଅନୁଷ୍ଠିତ ହେବ।

ପ୍ରତ୍ୟେକ ଦଳରେ ସର୍ବାଧିକ ୧୬ ଜଣ ଖେଳାଳି ରହିବେ। ଏଥିରୁ ଝାରସୁଗୁଡ଼ା ଜିଲ୍ଲାର ୧୧ ଜଣ ଖେଳାଳି ରହିବା ବାଧ୍ୟତାମୂଳକ ଥିବାବେଳେ ଅନ୍ୟ ଜିଲ୍ଲାରୁ ସର୍ବାଧିକ ୩ ଜଣ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇପାରିବ। ଏହାସହ ପ୍ରତ୍ୟେକ ଦଳର ଚୂଡ଼ାନ୍ତ ଏକାଦଶରେ ବନ୍ଧବାହାଲ ତଥା ଲଖନପୁର ବ୍ଲକ ଅଞ୍ଚଳର ଅତିକମ୍ରେ ୨ ଜଣ ଖେଳାଳି ରହିବା ବାଧ୍ୟତାମୂଳକ କରାଯାଇଛି। ଲିଗ୍ ର ସମସ୍ତ ମ୍ୟାଚ୍ ଧଳା ଡିୟୁଜ୍ ବଲ୍ ରେ ଏବଂ ରଙ୍ଗୀନ ପୋଷାକରେ ଖେଳାଯିବ। ପ୍ରତିଦିନ ଦୁଇଟି ଲେଖାଏଁ ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ୍ ସକାଳ ୮ଟା ୩୦ରେ ଏବଂ ଦ୍ୱିତୀୟ ମ୍ୟାଚ୍ ଅପରାହ୍ନ ୧୨ଟା ୩୦ରେ ଆରମ୍ଭ ହେବ। ଖେଳାଳି ପଞ୍ଜୀକରଣର ଶେଷ ତାରିଖ ସେପ୍ଟେମ୍ବର ୩୦ ରଖାଯାଇଛି। ଅକ୍ଟୋବର ୪ରେ ଖେଳାଳି ନିଲାମ ଅନୁଷ୍ଠିତ ହେବ। ଆଗ୍ରହୀ ଖେଳାଳିମାନେ ସେପ୍ଟେମ୍ବର ୩୦ ସୁଦ୍ଧା ନିଜ ନାମ ପଞ୍ଜୀକରଣ କରିବାକୁ ଆୟୋଜକ କମିଟି ପକ୍ଷରୁ ଅନୁରୋଧ କରାଯାଇଛି।

ସ୍ଥାନୀୟ କ୍ରିକେଟ ପ୍ରତିଭାଙ୍କୁ ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରିବା ଏହି ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଲକ୍ଷ୍ୟ ବୋଲି ଜିଲ୍ଲା କ୍ରିକେଟ ଆସୋସିଏସନ୍ ସଭାପତି ପ୍ରଜ୍ଵଲ ପଟେଲ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନିରୁଦ୍ଧ କେୱଟ, ପ୍ରତୀକ ଯାଦବ, ସଦାନନ୍ଦ ତନ୍ତୀ, ଅଶୋକ ସ୍ୱାଇଁ ଓ ଆଲୋକ ସାହୁ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande