ଭୁର୍କାମୁଣ୍ଡା ଯାଏଁ ମୁଖ୍ୟମନ୍ତ୍ରୀ ବସ୍ ସେବା ସମ୍ପ୍ରସାରଣ ଦାବି
Demand to extend CM bus service
ଭୁର୍କାମୁଣ୍ଡା ଯାଏଁ ମୁଖ୍ୟମନ୍ତ୍ରୀ ବସ୍ ସେବା ସମ୍ପ୍ରସାରଣ ଦାବି


ଝାରସୁଗୁଡା, ୭ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡା ସଦର ବ୍ଲକ ଅନ୍ତର୍ଗତ କାତିକେଲା ଗ୍ରାମବାସୀ ଓ ସ୍କୁଲ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ବସ୍ ସେବାକୁ ଭୁର୍କାମୁଣ୍ଡା ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ଦାବିରେ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଚଳିତ ବର୍ଷ କାତିକେଲା ଗ୍ରାମରେ ହାଇସ୍କୁଲ ଆରମ୍ଭ ହୋଇଛି। ଏହି ବିଦ୍ୟାଳୟରେ ନିକଟସ୍ଥ ଭୁର୍କାମୁଣ୍ଡା, ଦବକା ଆଦି ଗ୍ରାମର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ତେବେ ଯାତାୟାତ ସୁବିଧା ନଥିବାରୁ ଛାତ୍ରଛାତ୍ରୀମାନେ ସ୍କୁଲ ଯିବାଆସିବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାତାୟାତ ସମସ୍ୟା ଯୋଗୁଁ କେତେକ ଅଭିଭାବକ ବିଦ୍ୟାଳୟରୁ ପିଲାଙ୍କ ଟିସି ନେଇ ଅନ୍ୟତ୍ର ପାଠ ପଢ଼ାଉଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀ ପୂର୍ବରୁ କୋଲାବିରା ଜନଶୁଣାଣି ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ଅଭିଯୋଗ କରିଥିଲେ।

ବର୍ତ୍ତମାନ ଅପରାହ୍ନ ୩ଟା ୩୦ରେ କାତିକେଲା ପର୍ଯ୍ୟନ୍ତ ଚଳାଚଳ କରୁଥିବା ମୁଖ୍ୟମନ୍ତ୍ରୀ ବସ୍ ସେବାକୁ ଭୁର୍କାମୁଣ୍ଡା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଗଲେ ଛାତ୍ରଛାତ୍ରୀଙ୍କ ଯାତାୟାତ ସମସ୍ୟାର ସମାଧାନ ହେବା ସହ ଅଞ୍ଚଳବାସୀ ମଧ୍ୟ ଉପକୃତ ହେବେ ବୋଲି ଗ୍ରାମବାସୀ ଦାବିପତ୍ରରେ ଦର୍ଶାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande