
ଝାରସୁଗୁଡ଼ା, ୭ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ସଦର ବ୍ଲକ୍ ଅନ୍ତର୍ଗତ ଶ୍ରୀପୁରା ଗ୍ରାମର ସ୍ଥାନୀୟ ଯୋଗ୍ୟ ଯୁବକ-ଯୁବତୀଙ୍କୁ ଏପସିଲନ୍ କାର୍ବନ ପ୍ରାଇଭେଟ୍ ଲିମିଟେଡ୍ରେ ନିଯୁକ୍ତି ସୁଯୋଗ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇଛି।
ଶ୍ରୀପୁରାସ୍ଥିତ ଏପସିଲନ୍ କାର୍ବନ କମ୍ପାନୀରେ ସ୍ଥାନୀୟ ପ୍ରାର୍ଥୀଙ୍କୁ ସ୍ୱଚ୍ଛ ଓ ସୁସଂଗଠିତ ଢଙ୍ଗରେ ଚୟନ କରିବା ସହ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ ଉଦ୍ଦେଶ୍ୟରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଦେଶ ସଂଖ୍ୟା ୧୩୭୯୯/୨୦୨୬ ଜାରି କରାଯାଇଛି। ଏହି କମିଟି ସୋମବାର ଠାରୁ କାର୍ଯ୍ୟକାରୀ ହେବ ବୋଲି ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ନିର୍ଦ୍ଦେଶ ଦେଇଛନ୍ତି।
ଗଠିତ ନିଯୁକ୍ତି କମିଟିର ଅଧ୍ୟକ୍ଷ ଭାବେ ପିଡି, ଜିଲ୍ଲା ପୁନର୍ବାସ ଓ ଥଇଥାନ ବିଭାଗ ଦାୟିତ୍ୱ ନେଇଥିବା ବେଳେ ଝାରସୁଗୁଡ଼ା ଉପଜିଲ୍ଲାପାଳ ଓ ତହସିଲଦାର ସଦସ୍ୟ ରହିଛନ୍ତି। ଜିଲ୍ଲା ନିୟୋଜନ ଅଧିକାରୀଙ୍କୁ ସଦସ୍ୟ-ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗଠିତ ଏହି କମିଟି ସ୍ଥାନୀୟ ଅଞ୍ଚଳର ଯୋଗ୍ୟ ପ୍ରାର୍ଥୀଙ୍କୁ କମ୍ପାନୀରେ ନିଯୁକ୍ତି ପ୍ରଦାନ ପ୍ରକ୍ରିୟାକୁ ସୁଗମ, ସ୍ୱଚ୍ଛ ଓ ନିରପେକ୍ଷ କରିବ। ଏହା ଦ୍ୱାରା ଶ୍ରୀପୁରା ଗ୍ରାମର ବହୁ ଯୁବକ-ଯୁବତୀ ଉପକୃତ ହୋଇପାରିବେ ବୋଲି ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ପ୍ରକାଶ କରିଛନ୍ତି।
ସେହିପରି ଜିଲ୍ଲାପାଳଙ୍କ ଆଦେଶ ଏବଂ ନିଯୁକ୍ତି କମିଟିର ନିର୍ଦ୍ଦେଶ ଅନୁଯାୟୀ କମ୍ପାନୀ ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଏପସିଲନ୍ କାର୍ବନ କମ୍ପାନୀର ଅଧିକାରୀ ବିଶ୍ୱମୋହନ ଦାଶ କହିଛନ୍ତି।
ପ୍ରକାଶ ଥାଉ କି, ଗତ କିଛିଦିନ ଧରି ଶ୍ରୀପୁରା ସରପଞ୍ଚ ଯଶୋବନ୍ତୀ ପାଣ୍ଡେ ନିଯୁକ୍ତି ପ୍ରକ୍ରିୟାର ସରଳୀକରଣ ଏବଂ ସ୍ଥାନୀୟ ପ୍ରାର୍ଥୀଙ୍କ ସ୍ୱାର୍ଥରେ ନିଯୁକ୍ତି ପ୍ରକ୍ରିୟାରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପାଇଁ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ ନିମନ୍ତେ ଶ୍ରୀପୁରା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରୁ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ