
କନ୍ଧମାଳ, ୭ ସେପ୍ଟେମ୍ବର (ହି.ସ.)- କନ୍ଧମାଳ ଜିଲ୍ଲାର ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଲୁଚି ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଐତିହାସିକ-ଧାର୍ମିକ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ପାଇଁ ପ୍ରଶାସନର ପଦକ୍ଷେପ ଏବେ ଆଶା ସଞ୍ଚାର କରିଛି। ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସୁମେରବନ୍ଧ ପଞ୍ଚାୟତର ଅପହଞ୍ଚ ଅଞ୍ଚଳରେ ଥିବା ପୁରାତନ କଟାଙ୍ଗି ଶୈବପୀଠର ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟନ ବିକାଶ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯାଇଛି।
କନ୍ଧମାଳ ଜିଲ୍ଲା ପରିଷଦ ପ୍ରକଳ୍ପ ନିର୍ଦ୍ଦେଶକ ଶମ୍ଭୁନାଥ ନନ୍ଦୀଙ୍କ ସହ ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟପ୍ରକାଶ ଜେନା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନିଲ କୁମାର ପାତ୍ର କଟାଙ୍ଗି ଅଞ୍ଚଳ ଗସ୍ତ କରି ପୁରାତନ ଶୈବପୀଠ ପରିଦର୍ଶନ କରିଥିଲେ। ଏହି ସମୟରେ ଶୈବପୀଠର ପରିବେଶ, ଏହାର ଚତୁଃପାର୍ଶ୍ୱର ପ୍ରାକୃତିକ ପରିବେଶ ଓ ଭବିଷ୍ୟତରେ ଏହାକୁ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବାର ସମ୍ଭାବନା ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା। କଟାଙ୍ଗି ଶୈବପୀଠଟି ଦୀର୍ଘଦିନ ଧରି ଅଞ୍ଚଳବାସୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରମୁଖ କେନ୍ଦ୍ର ଭାବେ ରହିଆସିଛି। ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ଏହି ସ୍ଥାନର ଅନେକ ସମ୍ଭାବନା ଏପର୍ଯ୍ୟନ୍ତ ଲୋକଲୋଚନକୁ ଆସିପାରିନାହିଁ। ଯଦି ଏଠାରେ ଆବଶ୍ୟକ ଭିତ୍ତିଭୂମି ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଏ, ତେବେ କଟାଙ୍ଗି ଶୈବପୀଠ କନ୍ଧମାଳ ଜିଲ୍ଲାର ଏକ ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀ ଭାବେ ଉଭା ହୋଇପାରିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି। ବିଶେଷକରି ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ରାସ୍ତାଘାଟର ଉନ୍ନତି, ପାନୀୟ ଜଳ, ବସିବା ସ୍ଥାନ, ଆଲୋକୀକରଣ, ପରିମଳ ବ୍ୟବସ୍ଥା, ସୂଚନା ଫଳକ ଓ ପରିବେଶ ସୁରକ୍ଷା ଭଳି ମୌଳିକ ସୁବିଧାର ବିକାଶ ହେଲେ ଏହି ସ୍ଥାନର ଗୁରୁତ୍ୱ ଆହୁରି ବଢ଼ିବ। ଏହା ଫଳରେ ଧାର୍ମିକ ପର୍ଯ୍ୟଟନ ସହିତ ସ୍ଥାନୀୟ ଅଞ୍ଚଳର ଆର୍ଥିକ ଓ ସାମାଜିକ ବିକାଶର ମଧ୍ୟ ନୂଆ ସୁଯୋଗ ସୃଷ୍ଟି ହୋଇପାରିବ। ଦୀର୍ଘଦିନ ଧରି ଅବହେଳିତ ହୋଇ ରହିଥିବା କଟାଙ୍ଗି ଶୈବପୀଠର ବିକାଶ ପାଇଁ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସ୍ଥଳ ପରିଦର୍ଶନ କରିବା ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଓ ଆଶା ବଢ଼ିଛି। ଅଧିକାରୀମାନଙ୍କ ଏହି ପଦକ୍ଷେପ ପାଇଁ କଟାଙ୍ଗି ଅଞ୍ଚଳବାସୀ ସାଧୁବାଦ ଜଣାଇବା ସହ ଶୈବପୀଠର ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି ବିକାଶ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ