ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନୂତନ କ୍ୟାଣ୍ଟିନ ଉଦ୍ଘାଟିତ
New canteen inagurate in Jharsuguda DM office
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନୂତନ କ୍ୟାଣ୍ଟିନ


ଝାରସୁଗୁଡ଼ା, ୭ ସେପ୍ଟେମ୍ବର (ହି.ସ.)- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ନୂତନ କ୍ୟାଣ୍ଟିନର ଶୁଭ ଉଦ୍ଘାଟନ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କ୍ୟାଣ୍ଟିନକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ବହୁ ବର୍ଷ ଧରି ଅବ୍ୟବହୃତ ତଥା ଅଚଳ ହୋଇ ପଡ଼ିରହିଥିବା ପୁରୁଣା ପ୍ରେସ୍ ରୁମ୍ ର ସମ୍ପୂର୍ଣ୍ଣ ନବୀକରଣ କରାଯାଇ କ୍ୟାଣ୍ଟିନ ନିର୍ମାଣ କରାଯାଇଛି। ସୂଚନାଯୋଗ୍ୟ ଯେ, ମାସକ ତଳେ ଜିଲ୍ଲାପାଳ ଏକ ସ୍ୱତନ୍ତ୍ର ନୂତନ ପ୍ରେସ୍ ରୁମ୍ ଉଦ୍ଘାଟନ କରିବା ପରେ ଏହି ପୁରୁଣା କୋଠାର କାୟାକଳ୍ପ କରି ଆଜି ଏହାକୁ କ୍ୟାଣ୍ଟିନ ରୂପେ ଲୋକାର୍ପଣ କରାଯାଇଛି।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଚହ୍ବାଣ କହିଛନ୍ତି, ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବା ଏବଂ ମହିଳା ସଶକ୍ତୀକରଣକୁ ପ୍ରୋତ୍ସାହିତ କରିବା ଆମର ମୁଖ୍ୟ ଲକ୍ଷ୍ୟ। ଏହା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜର ଦକ୍ଷତା ପ୍ରଦର୍ଶନ କରିବା ସହ ନିୟମିତ ରୋଜଗାରକ୍ଷମ ହୋଇପାରିବେ। ଏହା ସହିତ ଖାଦ୍ୟ ସୁରକ୍ଷା ଓ ସ୍ୱଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ, ଯାହାଦ୍ୱାରା ପ୍ରତ୍ୟେକ ଲୋକ ନିରାପଦ ଓ ଉତ୍ତମ ମାନର ଖାଦ୍ୟ ପାଇପାରିବେ।

ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲଳିତ ସୋରେଙ୍ଗ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ତଥା ସଂସ୍କୃତି ଅଧିକାରୀ ରୀତାକାନ୍ତି ବଳିୟାରସିଂହ ଏବଂ ଓଡ଼ିଶା ଜୀବିକା ମିଶନର ଡିପିଏମ୍ ଡ. ପୁଷ୍ପଶ୍ରୀ ନାୟକଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ।

ଏହାର ପରିଚାଳନା ଦାୟିତ୍ୱ ଝାରସୁଗୁଡ଼ା ବଢ଼େଇମୁଣ୍ଡାର ‘ବିମଳା ସ୍ୱୟଂ ସହାୟକ ଗୋଷ୍ଠୀ’ କୁ ହସ୍ତାନ୍ତର କରାଯାଇଛି। ଏଠାରେ ସମ୍ପୂର୍ଣ୍ଣ ସ୍ୱଚ୍ଛ, ପରିଷ୍କାର-ପରିଚ୍ଛନ୍ନ ତଥା ପୁଷ୍ଟିକର ଖାଦ୍ୟ ଉପଲବ୍ଧ ହେବ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ବିଭାଗର କର୍ମଚାରୀମାନେ ନିର୍ଦ୍ଧାରିତ ସମୟରେ ଏବଂ ସୁଲଭ ରିହାତି ଦରରେ ଉଚ୍ଚମାନର ଖାଦ୍ୟ ପାଇପାରିବେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande