
ଝାରସୁଗୁଡ଼ା, ୭ ସେପ୍ଟେମ୍ବର (ହି.ସ.)- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣଙ୍କ ସମସ୍ୟା ଶୁଣାଯାଇ ତାର ତ୍ୱରିତ ସମାଧାନ ଦିଗରେ ପଦକ୍ଷେପ ନିଆଯାଇଥିଲା। ଏହି ଶୁଣାଣି ଶିବିରରେ ମୋଟ ୯୮ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୭୧ଟି ବ୍ୟକ୍ତିଗତ ଅଭିଯୋଗ ଥିବା ବେଳେ ୨୭ଟି ସାମୂହିକ ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ଜିଲ୍ଲାପାଳ ଓ ଉପସ୍ଥିତ ଅଧିକାରୀମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ୧୭ଟି ଅଭିଯୋଗର ଘଟଣାସ୍ଥଳରେ ସମାଧାନ କରିଥିଲେ। ଅବଶିଷ୍ଟ ଅଭିଯୋଗଗୁଡ଼ିକୁ ତୁରନ୍ତ ତଦନ୍ତ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ରେଡକ୍ରସ ପାଣ୍ଠିରୁ ୨ ଜଣ ଅସହାୟ ହିତାଧିକାରୀଙ୍କୁ ଚିକିତ୍ସା ଓ ଆର୍ଥିକ ସହାୟତା ବାବଦକୁ ମୋଟ ୨୦,୦୦୦ ଟଙ୍କା ପ୍ରଦାନ କରାଯାଇଛି। ଶୁଣାଣି ସମୟରେ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜମିଜମା ବିବାଦ, ସରକାରୀ ଜମି ଆବଣ୍ଟନ, ଜବରଦଖଲ ଉଚ୍ଛେଦ, ଜମି ସୀମା ନିର୍ଦ୍ଧାରଣ (ଡିମାର୍କେସନ), ଡ୍ରେନେଜ୍ ବ୍ୟବସ୍ଥା, ରାସ୍ତାଘାଟ ନିର୍ମାଣ ଓ ମରାମତି, ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ଏବଂ ସାମାଜିକ ସୁରକ୍ଷା ଭତ୍ତା (ପେନସନ) ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଲୋକେ ନିଜ ନିଜର ସମସ୍ୟା ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲଳିତ ସୋରେଙ୍ଗ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ତହସିଲଦାରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ