
ଚମ୍ପୁଆ, ୭ ସେପ୍ଟେମ୍ବର (ହି.ସ.)- ଲୁହାପଥର ବୋଝେଇ ଟ୍ରକରୁ ଗ୍ରାମବାସୀଙ୍କ ନାମରେ ବଟି ଆଦାୟ କରା ଯାଉଥିବାରୁ ଏହାକୁ ବିରୋଧ କରି ଚମ୍ପୁଆ ଉପଖଣ୍ଡସ୍ଥ ଯୋଡା ବ୍ଲକ ଦେଓଝର ପଞ୍ଚାୟତ ଅନ୍ତର୍ଗତ ମୁର୍ଗା ଗ୍ରାମର ସଭାଗୃହ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।
ଖବର ଅନୁସାରେ, ଯୋଡ଼ା ଖଣି କ୍ଷେତ୍ର ଦେଓଝର ସ୍ଥିତ କାଟାମାଟି ଠାରେ ଅବସ୍ଥିତ ବହୁ ରାଷ୍ଟ୍ରୀୟ ଖଣି କମ୍ପାନୀ ଟାଟା ଷ୍ଟିଲ ଖଣିରୁ ଦୈନିକ ଦୁଇ ଶହ ପଚାଶରୁ ଊର୍ଦ୍ଧ୍ଵ ଲୁହାପଥର ବୋଝେଇ ଟ୍ରକ ଭୂଷଣ କାରଖାନା, କଳିଙ୍ଗ ନଗର କାରଖାନା, ରାଉଲକେଲା କାରଖାନା, ଝାଡ଼ଖଣ୍ଡ ସଢ଼େଇକଳା ସ୍ଥିତ କାରଖାନାକୁ ଲୁହାପଥର ପରିବହନ ହୋଇଥାଏ। ଏହି ଟ୍ରକ ଗୁଡିକ ଖଣିରୁ ଲୁହାପଥର ବୋଝେଇ ହୋଇ ଗେଟ ବାହାରକୁ ବାହାରିବା ପରେ ଝାଡ଼ଖଣ୍ଡ ଅଞ୍ଚଳର ଜଣେ ବ୍ୟକ୍ତି କିଛି ସ୍ଥାନୀୟ ଯୁବକଙ୍କୁ ହାତ କରି ଏକ ଅଣ ପଞ୍ଜିକୃତ ସଂଘ ମାଧ୍ୟମରେ ଗ୍ରାମବାସୀଙ୍କ ନାମରେ ଲେବଲିଙ୍ଗ ଚାର୍ଜ କହି ବେଆଇନ ଭାବେ ପ୍ରତି ଟ୍ରକରୁ ଏକ ଶହ ଟଙ୍କା ଲେଖାଏଁ ବଟି ଆଦାୟ କରିଥାନ୍ତି। ଏହି ଅର୍ଥ କାର୍ଯ୍ୟରତ ଶ୍ରମିକଙ୍କୁ ପ୍ରଦାନ କରିବା ପରେ ବଳକା ଅର୍ଥ ଗ୍ରାମର ଉନ୍ନୟନ ମୂଳକ କାର୍ଯ୍ୟରେ ଲାଗିବା କଥା, କିନ୍ତୁ ଏହି ଅର୍ଥ ଗ୍ରାମର କୌଣସି ଉନ୍ନତିମୂଳକ କାର୍ଯ୍ୟରେ ଲାଗୁ ନ ଥିବା ବେଳେ ଦୈନିକ ଆଦାୟ ହେଉଥିବା ହଜାର ହଜାର ଟଙ୍କା ସିଧା ସଳଖ ସମ୍ପୃକ୍ତ ମାଫିଆଙ୍କ ପକେଟ ଗରମ କରୁଛି। ଏହି ଘଟଣାକୁ ନେଇ ମୁର୍ଗା ଗ୍ରାମବାସୀ ବିଭିନ୍ନ ମହଲରେ ନିନ୍ଦିତ ହେଉଥିବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି। ଏ ସମ୍ପର୍କରେ ଗ୍ରାମବାସୀ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଥାନା ପକ୍ଷରୁ ଏକ ମାସ ମଧ୍ୟରେ ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମାଧାନ ହୋଇ ନ ପାରିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ଏହାକୁ ନେଇ ରବିବାର ଦିନ ସନ୍ଧ୍ୟାରେ ଗ୍ରାମର ସଭାଗୃହ ଠାରେ ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ କେନ୍ଦୁଝର ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ, ଚମ୍ପୁଆ ସାଙ୍ଗଠନିକ ସଂଯୋଜକ ତଥା କେନ୍ଦୁଝର ସାଂସଦଙ୍କ ଯୋଡ଼ା ବ୍ଲକ ପ୍ରତିନିଧି ଅଗନୁ ମହାନ୍ତଙ୍କ ସହିତ ଆଲୋଚନା ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଥିଲେ । ତା' ସହିତ ଗ୍ରାମରେ ଦୀର୍ଘ ଦିନରୁ ଲାଗି ରହିଥିବା ପିଇବା ପାଣି ସମସ୍ୟା, ବିଦ୍ୟୁତ ସମସ୍ୟା ପରି ପ୍ରମୁଖ ସମସ୍ୟା ଗୁଡିକ ଉପରେ ଆଲୋଚନା କରିଥିଲେ। ଶ୍ରୀ ମହାନ୍ତ ଗ୍ରାମବାସୀଙ୍କ ସହିତ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଗ୍ରାମର ସମସ୍ୟା ଗୁଡିକୁ ଗୁରୁତର ସହ ନେଇଥିଲେ। ପୂର୍ବରୁ ଯାହା ହୋଇଛି, ତାକୁ ସୁଧାରିବାର ସମୟ ଆସିଛି। ଏବେ ରାଜ୍ୟରେ ଥିବା ବିଜେପି ସରକାର ଲୋକଙ୍କ ସରକାର, ସରକାର ସବୁବେଳେ ଲୋକଙ୍କ ସାଥିରେ ଅଛନ୍ତି । ତେଣୁ ଖୁବ ଶୀଘ୍ର ଗ୍ରାମରେ ଲାଗି ରହିଥିବା ସମସ୍ୟା ଗୁଡିକର ସମାଧାନ କରିବାକୁ ଚେଷ୍ଟା କରାଯିବ ବୋଲି କହିଥିଲେ।
ତେବେ ସ୍ଥାନୀୟ ପ୍ରଶାସନ ଏହା ଉପରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ଗ୍ରାମବାସୀ କଠୋର ନୀତି ଅବଲମ୍ବନ କରିବା ପାଇଁ ବାଧ୍ୟ ହେବେ ବୋଲି କହିଥିଲେ।
ଏହି ସଭାରେ ଗ୍ରାମର ପ୍ରକାଶ ବେହେରା, ରାଜୁ ବେହେରା, ବସନ୍ତ ମୁଣ୍ଡା, ଅଜୟ ମହାକୁଡ଼, ବିକାଶ ବେହେରା, ଗାର୍ଦି ମୁଣ୍ଡା, ମିଥୁନ କାରୁଆ, ସୁରଜ ବେହେରା, ମାନସ କୁମାର ବେହେରା, ଅମୁଲ୍ୟ ବେହେରା ପ୍ରମୁଖଙ୍କ ସହିତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / Trinath Mahanta