
ଜୟପୁର, ୭ ସେପ୍ଟେମ୍ବର (ହି.ସ.)- ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁର ଠାରେ ତିନିଦିନ ଧରି ଚାଲିଥିବା ପ୍ରାଦେଶିକ ଗଣିତ ମେଳା ଉଦଯାପିତ ହୋଇଯାଇଛି । ଏହାର ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ଯଦୁମଣି ନାୟକ, ଉପଜିଲ୍ଲାପାଳ ତଥା ଉପଖଣ୍ଡ ଦଣ୍ଡାଧିକାରୀ, ଜୟପୁର । ଅନ୍ୟ ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଚନ୍ଦନ କୁମାର ନାୟକ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଜୟପୁର, ମୁଖ୍ୟ ବକ୍ତା ଭାବେ ସରୋଜ କୁମାର ହାତୀ, ସଂପାଦକ, ଶିକ୍ଷା ବିକାଶ ସମିତି, ଓଡ଼ିଶା, ଏବଂ ଅଧ୍ୟକ୍ଷ ରୂପେ ଡ. ଚିତ୍ତରଞ୍ଜନ ମିଶ୍ର, ସଭାପତି, ଶିକ୍ଷା ବିକାଶ ସମିତି, ଦକ୍ଷିଣ ସମ୍ଭାଗ, ଜୟପୁର ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଶିଶୁଙ୍କୁ ଗଣିତ ଶିକ୍ଷାର ମହତ୍ତ୍ୱ ଏବଂ ଏହାକୁ ବ୍ୟବହାରିକ କାର୍ଯ୍ୟରେ ପ୍ରୟୋଗ କରିବାର ଆବଶ୍ୟକତା ବିଷୟରେ ଶିଶୁଙ୍କୁ ନିଜର ବକ୍ତବ୍ୟ ମାଧ୍ୟମରେ ଅବଗତ କରାଇଥିଲେ । ଏହି ପ୍ରାଦେଶିକ ସ୍ତରୀୟ ଗଣିତ ମେଳାରେ ସର୍ବମୋଟ ୧୪୦ ଶିଶୁ ଏବଂ ୬୭ ଜଣ ଗୁରୁଜୀ ଗୁରୁମା ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ମେଳାର ଦ୍ୱିତୀୟ ଦିନରେ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯେପରିକି – ଗଣିତ ପ୍ରକଳ୍ପ ପ୍ରଦର୍ଶନ, ଗଣିତ ପ୍ରଶ୍ନମଂଚ, ଗଣିତ ପତ୍ରବାଚନ, ଗଣିତ ପ୍ରୟୋଗ ଏବଂ ଗୁରୁଜୀ ଗୁରୁମାଙ୍କ ସକାଶେ ଆଚାର୍ଯ୍ୟ ପତ୍ରବାଚନ ଅନୁଷ୍ଠିତ କରାଯାଇଥିଲା । ପ୍ରତିଯୋଗିତାକୁ ପରିଚାଳନା କରିବା ସହ ଏଗୁଡ଼ିକର ମୂଲ୍ୟାୟନ କରିବା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନର ବରିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଧ୍ୟାପକ ଯୋଗଦେଇଥିଲେ । ଦ୍ୱିତୀୟ ଦିନରେ ସନ୍ଧ୍ୟା ସମୟରେ ଜୟପୁର ସଦର ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଉପସ୍ଥିତ ରହି ଦ୍ୱୀପ ପ୍ରଜ୍ଜ୍ୱଳନ ପୂର୍ବକ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।
ଦ୍ୱିତୀୟ ଦିନରେ ସମସ୍ତ ପ୍ରତିଯୋଗିତାର ସମାପନ ଘଟିଥିଲା । ତୃତୀୟ ଦିନ ଗଣିତ ମେଳା କାର୍ଯ୍ୟକ୍ରମର ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସୁଶ୍ରୀ ଅର୍ଚ୍ଚିତା ମିତ୍ତଲ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ଜୟପୁର । ସେହିପରି ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ପ୍ରସନ୍ନ କୁମାର ସାହୁ, ଅଖିଳ ଭାରତୀୟ ବୈଦିକ ଗଣିତ ସହସଂଯୋଜକ ଏବଂ ଅଧ୍ୟକ୍ଷ ରୂପେ ଡ. ମନୋରଞ୍ଜନ ପ୍ରଧାନ, ଓ.ଇ.ଏସ୍-୧ ଉପସ୍ଥିତ ରହି କାର୍ଯ୍ୟକ୍ରମର ସମାରୋପରେ ସହଯୋଗ କରିଥିଲେ । ମୁଖ୍ୟ ଅତିଥି ସୁଶ୍ରୀ ମିତ୍ତଲ ଶିଶୁମାନଙ୍କ ମଧ୍ୟରେ ଗଣିତ ଶିକ୍ଷାର ମାନ କିପରି ବଢିପାରିବ ଏବଂ ଶିଶୁମାନେ କିପରି ଜୀବନରେ ସଫଳତା ପାଇପାରିବେ ସେ ବିଷୟରେ ନିଜର ବକ୍ତବ୍ୟ ମାଧ୍ୟମରେ ଉପସ୍ଥାପନା କରିଥିଲେ ଏବଂ ବଡ଼ ସ୍ୱପ୍ନ ଦେଖିବା ପାଇଁ ଶିଶୁଙ୍କୁ ପ୍ରେରିତ କରିଥିବା ବେଳେ ଡ. ମନୋରଞ୍ଜନ ପ୍ରଧାନ ନିଜର ଅଭିଭାଷଣରେ ଶିକ୍ଷା କେବଳ ପୁସ୍ତକ ଭିତ୍ତିକ ନ ରହି ବ୍ୟବହାରିକ କାର୍ଯ୍ୟରେ କିପରି ଉପଯୋଗ କରାଯାଇପାରିବ ସେ ବିଷୟରେ ଶିଶୁଙ୍କୁ ଉଦବୋଧନ ଦେଇଥିଲେ । ଗଣିତ ମେଳାର ଉଦ୍ଦେଶ୍ୟ ପ୍ରଦାନ କରିଥିଲେ ପ୍ରାନ୍ତ ବୈଦିକ ଗଣିତ ସଂଯୋଜକ ବିରଞ୍ଚି ନାରାୟଣ ମହାପାତ୍ର ।
ଦକ୍ଷିଣ ସଂଭାଗ ସଂଯୋଜକ ସୁଶାନ୍ତ ପାଣିଗ୍ରାହୀ ମଂଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ତିନିଦିନ ଧରି ଚାଲିଥିବା ଏହି ଗଣିତ ମେଳାରେ ସ୍ଥାନୀୟ ବିଦ୍ୟାଳୟର ମାତୃଭାରତୀ, ଗୁରୁମା ଏବଂ ଶିଶୁ ଭଉଣୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ କରାଯାଇଥିଲା। କାର୍ଯ୍ୟକ୍ରମଟିକୁ ସଫଳ କରାଇବାରେ ବିଦ୍ୟାଳୟର ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା, ପ୍ରଧାନାଚାର୍ଯ୍ୟ, ଗୁରୁଜୀ ଗୁରୁମା ଏବଂ ସେବକ ସେବିକା ଏବଂ ସ୍କାଉଟ୍ ଏବଂ ଗାଇଡ୍ ର ଶିଶୁ ଭାଇ ଭଉଣୀମାନେ ତଥା ଅନ୍ୟ ଶିଶୁମାନେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି