ଆସୁଛି ପାର୍ବଣ ଋତୁ । ସଜେଇ ହେଲାଣି ଧରଣୀ । ଧରା ପୃଷ୍ଠରେ ଅବତ୍ତୀର୍ଣ୍ଣ ହେବେ ମା' । ଶରତ ଋତୁରେ ଶାରଦୀୟ ଦୁର୍ଗା ପୂଜା । ନଦୀ ପଠାରେ ଫୁଟିଲାଣି କାଶତଣ୍ଡୀ ଫୁଲ। ହାତ ହଲାଇ ମା'ଙ୍କୁ ଡାକୁଛି । ରାସ୍ତା କଡ,ନଦୀ ପଠା, ବିଲ ହୁଡା ଓ ପାହାଡର ପାଦ ଦେଶରେ ଖିଲି ଖିଲି ହସୁଛି କାଶତଣ୍ଡୀ । ପ୍ରେମିକ, ଭାବୁକ, କବି,ଲେଖକ, ସାମ୍ବାଦିକ, ପଥିକ ଓ ବୁଦ୍ଧିଜୀବୀ ମାନେ କାଶତଣ୍ଡୀ ଦେଖି ମନ ହେଲାଣି ଆନବନା । ଶୀତଳ ନିର୍ମଳ ଆକାଶ । କ୍ଷେତରେ ଝଲୁଛି ଧାନ କେଣ୍ଡା । ସବୁଜିମାରେ ଭରା ଧରା । ଚାନ୍ଦିନୀ ରାତିରେ ନଦୀ ପଠାରେ ଝୁଲୁଛି କାଶତଣ୍ଡୀ । ଧରଣୀ ରାଣୀ ଧଳା ଚାଦର ଘୋଡେଇ ହୋଇଛି । ଆଶ୍ବିନରେ ଅବତ୍ତୀର୍ଣ୍ଣ ହେବେ ମା' ଅମ୍ବିକା । କାଶତଣ୍ଡୀ ଉପରେ ଶିଶିର ସ୍ବଚ୍ଛତା ବାରି ହୋଇପଡୁଛି । କବି ମୁହଁରୁ ଝରୁଛି କବିତାର ର୍ନିଝରଣୀ ।
ନିଆରା ସମୟ , ନିରୋଳା ମୁହୁର୍ତ୍ତ , ଶୀତୁଆ ସଜ ସକାଳ । ନଦୀ ପଠାରେ କାଶତଣ୍ଡୀ ଗଛ ତଳେ ବସିଛନ୍ତି ପ୍ରେମିକ ପ୍ରେମିକା । ପ୍ରେମିକ କହୁଛି ତୁ କାଶତଣ୍ଡୀ ହେଲେ ମୁଁ - ତୋ ପବନ , ପବନ ରୂପରେ ଦେଉଛି ଚୁମ୍ବନ । ତୁ ପୁଷ୍କରିଣୀର ନାଲି କଇଁ ହେଲେ ମୁଁ ତ ଜହ୍ନ । ତୁ ଝରଣା ହେଲେ ମୁଁ ତ ପର୍ବତ । ତୁ ପାହାନ୍ତିଆ ତଟକା ତାରା ହେଲେ ମୁଁ ସଜ ସକାଳର ରାବୁଥିବା କାଉର ସ୍ବର । କାଶତଣ୍ଡୀ ଫୁଲକୁ ଦେଖି ଏମିତି ଅନେକ ଭାବୁଛନ୍ତି ପ୍ରେମି ଯୁଗଳ । ଶ୍ରାବଣର ସଜ ଭିଜା ସଫେଦ ବସ୍ତ୍ର ପରିହିତା କାଶତଣ୍ଡୀ । ଆନ୍ଦୋଳିତ ହୁଏ ଆଖି । ଆନମନା ହୁଏ ମନ । ନିଦ ବିଛଣାରେ ନଦୀ ପଠାରେ ଆନନ୍ଦରେ ହସୁଛି କାଶତଣ୍ଡୀ । କଥିତ ଅଛି, ଜଣେ ରାଜ କୁମାର ନୀଚ୍ଚ ଜାତିର ଅନିତ୍ୟ ସୁନ୍ଦରୀ କାଶତଣ୍ଡୀକୁ ଅନ୍ତର ସହ ଭଲ ପାଉଥିଲା । ପ୍ରତିଦିନ ନଦୀ ପଠାରେ ଦେଖା ହେଉଥିଲେ । ଏକଥା ରାଜାଙ୍କ କାନରେ ପଡିଲା । ରାଜା ରାଜକୁମାରକୁ ବାରଣ କଲେ । କିନ୍ତୁ କାଶତଣ୍ଡୀ ମୋହରୁ ମୁକୁଳି ପାରିଲେନି ରାଜକୁମାର । ରାଜା ନଦୀ ପଠାକୁ ସୈନ୍ଯ ସାମନ୍ତ ପଠାଇଲେ । ଆଲିଙ୍ଗନ ମୁଦ୍ରାରେ ବସିଥିଲେ ଉଭୟ । ସୈନ୍ଯ ମାନେ ରାଜକୁମାରକୁ ଅଲଗା କରିବା ପରେ କାଶତଣ୍ଡୀକୁ ଜିଅଁନ୍ତା ସେହି ଠାରେ ପୋତି ଦେଲେ । କାଶତଣ୍ଡୀ କହୁଥିଲା ଆମ ପ୍ରେମ ଶାଶ୍ବତ, ପୁଣି ଦେଖା ହେବ । ଆଶ୍ବିନ ମାସରେ ସେହି ଠାରେ କାଶତଣ୍ଡୀ ଫୁଟିଲା । ପାଗଳ ରାଜକୁମାର ସେହିଠାରେ ଘଣ୍ଟା ଘଣ୍ଟା ଧରି ବସିଥିବା ଦେଖିବାକୁ ମିଳିଥିଲା ।
ପଥିକ କାଶତଣ୍ଡୀ ଦେଖି ଆନବନା ହେଉଛି । ମାଙ୍କ ଆଗମନକୁ ଚାତକ ପରି ଚାହିଁଛି କାଶତଣ୍ଡୀ । ଶୁଭ୍ର ରଙ୍ଗରେ ରଙ୍ଗାୟିତ କାଶତଣ୍ଡୀ । ପବନରେ ଚାମର ହଲାଇ ମାଙ୍କୁ ଡାକୁଛି । ଶରତ ଋତୁରେ କବି ଖୋଜୁଛି କାଶତଣ୍ଡୀର ହସ । କାଶତଣ୍ଡୀ ପ୍ରକୃତିର ଅନବଦ୍ୟ ଉପହାର । ଅପରୂପ ସୌନ୍ଦର୍ଯ୍ଯରେ ଭରପୁର । ଉତ୍କଳୀୟ ପରମ୍ପରାରେ ରେଖା ପଞ୍ଚମୀରେ ବେଣୀ ବନ୍ଧା କାଶତଣ୍ଡୀ ଘରେ ରଖି ପୂଜା କରିବା ବିଧି ରହିଛି । କାଶତଣ୍ଡୀ ଦେଖି ଚିତ ହୁଏ ପୁଲକିତ । ନିଳାମ୍ବୁ ଚିଲିକା କୂଳେ ଟ୍ରେନ ଯାତ୍ରୀ କାଶତଣ୍ଡୀ ଦେଖି ବିଭୋର ହେଉଛନ୍ତି । କାଶତଣ୍ଡୀର ମନ ଫୁଲାଣିଆ ହସ ମନକୁ ଟାଣି ନେଉଛି । ସୁବର୍ଣ୍ଣ ସୋରିଷ ଫୁଲ ଫୁଟିଛି । ନଦୀ ପଠାରେ କାଶତଣ୍ଡୀ ରୂପା ଗାଲିଚା ବିଛାଇଛି । ତରୁଣୀଟିଏ ସଜ ସକାଳରେ ପୁଷ୍କରିଣୀରେ ସ୍ନାନ କରି କଟିରେ ପାଣି ଗରା ଧରି ଯାଉଛି । ଢଳ ଢଳ ହଂସ ଚାଲି, ଓଠରେ ନାଲି ହସ, କାଶତଣ୍ଡୀ ଫୁଲ ଦେଖି ସ୍ବପ୍ନରେ ଭିଜି ଯାଉଛି ତରୁଣୀ । କାଶତଣ୍ଡୀର ରଙ୍ଗ ନାହିଁ କି ବାସ୍ନା ନାହିଁ ହେଲେ ସେ ସବୁରି ପ୍ରିୟ । କାଶତଣ୍ଡୀକୁ ନେଇ ଭୂମିରୁ ଭୂମା ପର୍ଯ୍ୟନ୍ତ ଚିନ୍ତା କରୁଛି କବି । ଭାଦ୍ରବ ସରିଲା, ଆଶ୍ବିନ ଆସିଲା, ନଦୀ ପଠାରେ କାଶତଣ୍ଡୀ ଝଲସିଲା । କବି ଭାବୁଛି ହେ କାଶତଣ୍ଡୀ ତୁମେ ଚିରନମସ୍ଯ । ତୁମ ରଙ୍ଗର ଯାଦୁ ବିମୋହିତ କରୁଛି । ସରଳ ହେଲେ ମଧ୍ଯ ତୁମେ ମହାନ । ହେ କାଶତଣ୍ଡୀ ତୁମେ ମଣିଷ ମନରେ ଅହଂ ଭାବ ଦୂର କର । ମାଙ୍କ ଆଗମନୀ ପୂର୍ବରୁ ତୁମେ ତାଙ୍କ ବାହନ । ଧରାରେ ଶାନ୍ତି, ସତ୍ଯ, ଧର୍ମ, ନ୍ଯାୟ, ପ୍ରେମ,ଭକ୍ତି ଓ ସହାନୁଭୂତି ଫେରିଆସୁ ଏହା କାଶତଣ୍ଡୀର ନିବେଦନ ।
ବିଜୟ ମିଶ୍ର
ବାଲିଶଙ୍ଖ,ବାଲିଘାଟ, ପୁରୀ -୨
ମୋ - ୯୯୩୭୮୪୮୫୪୪
ହିନ୍ଦୁସ୍ଥାନ ସମାଚାର / ବିଜୟ