ଭୁବନେଶ୍ୱର, 21 ଡିସେମ୍ବର (ହି.ସ.)
- ଅବକାରୀ ସମ୍ପର୍କିତ ଷ୍ଟାଣ୍ଡିଂ କମିଟି ବୈଠକ କମିଟିର
ଅଧ୍ୟକ୍ଷ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । କମିଟିର ସଦସ୍ୟ
ଭାବେ ସରକାରୀ ଦଳ ମୁଖ୍ୟ ସଚେତକ ଗୋବିନ୍ଦ ଦାସ, ସତ୍ୟବାଦୀ ବିଧାୟକ
ଓମ ପ୍ରକାଶ ସାହୁ, ଅବକାରୀ ସଚିବ ଗୁହା ପୁନମ ତାପସ କୁମାର, ଅବକାରୀ କମିଶନ ନରସିଂହ ଭୋଳ ଓ ଅବକାରୀ ବିଭାଗର
ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଅବକାରୀ ବିଭାଗ ସମ୍ପର୍କିତ ବିଭିନ୍ନ ଯୋଜନା ଓ ଆଗାମୀ
ପଦକ୍ଷେପ ବାବଦରେ ବିଭାଗୀୟ ଅଧିକାରୀ ବୈଠକରେ ସୂଚନା ଦେଇଛନ୍ତି । କମିଟି ଅଧ୍ୟକ୍ଷ ରଣେନ୍ଦ୍ର
ପ୍ରତାପ ସ୍ୱାଇଁ କହିଛନ୍ତି, ରାଜ୍ୟରେ ଅବକାରୀ
ନୀତି ବର୍ଷକୁ ବର୍ଷ ପରିବର୍ତ୍ତନ ହୁଏ । ଅବକାରୀ ବିଭାଗରେ କନେଷ୍ଟବଳ ପଦବୀ ନିୟମିତ ହେବ ।
ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଡ୍ରଗ୍ସ କାରବାରରେ
ନିୟନ୍ତ୍ରଣ ଲାଗି ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ 2022ରେ ଏସଟିଏଫ ଗଠନ
ହୋଇଥିଲା । ଏହି ଏସଟିଏଫକୁ ପୁନର୍ଗଠନ କରାଯିବ । ରାଜ୍ୟରେ ଡ୍ରଗ୍ସ ଓ ବେଆଇନ ମଦ ବ୍ୟବସାୟକୁ
ନିୟନ୍ତ୍ରଣ କରାଯିବ । ଏଥିପାଇଁ ଆବଶ୍ୟକ ମାନବ ସମ୍ବଳ ବ୍ୟବସ୍ଥା ସରକାର କରିବେ । ସମସ୍ତ
ଅବକାରୀ ଅଫିସକୁ ଗାଡି ପ୍ରଦାନ କରାଯିବ । ବିଷାକ୍ତ ମଦ ବ୍ୟବସାୟକୁ ବନ୍ଦ ବା ନିୟନ୍ତ୍ରଣ କରିବା
ଲାଗି ଅଧିକ ମାନବ ସମ୍ବଳ ଆବଶ୍ୟକ ରହିଛି । ମାସକ ମଧ୍ୟରେ ମାନବ ସମ୍ବଳ ବ୍ୟବସ୍ଥା କରିବାକୁ
କୁହାଯାଇଛି । ମାନବ ସମ୍ବଳ ବ୍ୟବସ୍ଥା ହୋଇଗଲେ ଏହାକୁ ନିୟନ୍ତ୍ରଣ କରିବା ସହଜ ହେବ ବୋଲି
ବିଜେଡି ବିଧାୟକ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା