“ଦି ସାଗା ଅଫ୍ କୁଦୋପାଲି”କୁ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର, ୩୦ ଡିସେମ୍ବର (ହି.ସ.)- ନେସନାଲ ବୁକ୍ ଟ୍ରଷ୍ଟ (ଏନ୍‌ବିଟି) ପକ୍ଷରୁ ପ୍ରକାଶିତ ପୁସ୍ତକ “ଦି ସାଗା ଅଫ୍ କୁଦୋପାଲି” ଉନ୍ମୋଚିତ ହୋଇଛି । ସ୍ଥାନୀୟ ତପସ୍ୱିନୀ ଜିଲ୍ଳା ପ୍ରେକ୍ଷାଳୟ ଠାରେ ଏକ ସଭାରେ ମୁଖ୍ୟଅତିଥି ଭାବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଇତିହାସ ପୁସ୍ତକକୁ
“ଦି ସାଗା ଅଫ୍ କୁଦୋପାଲି”କୁ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ସମ୍ବଲପୁର, ୩୦ ଡିସେମ୍ବର (ହି.ସ.)- ନେସନାଲ ବୁକ୍ ଟ୍ରଷ୍ଟ (ଏନ୍‌ବିଟି) ପକ୍ଷରୁ ପ୍ରକାଶିତ ପୁସ୍ତକ “ଦି ସାଗା ଅଫ୍ କୁଦୋପାଲି” ଉନ୍ମୋଚିତ ହୋଇଛି । ସ୍ଥାନୀୟ ତପସ୍ୱିନୀ ଜିଲ୍ଳା ପ୍ରେକ୍ଷାଳୟ ଠାରେ ଏକ ସଭାରେ ମୁଖ୍ୟଅତିଥି ଭାବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଇତିହାସ ପୁସ୍ତକକୁ ଉନ୍ମୋଚନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଦୁର୍ଦ୍ଦଷ ଇଂରେଜମାନଙ୍କ ଅତ୍ୟାଚାର ସହିତ ହଜାର ବର୍ଷର ପରାଧୀନତାର କାଳଖଣ୍ଡରୁ ଦେଶ ମୁକ୍ତ ହୋଇଥିଲା । ଏହି ମହାସଂଗ୍ରାମରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଭୂମିକା ଓ ପ୍ରେରଣାଦାୟୀ ସ୍ୱାଧୀନତା ସଂଗ୍ରାମର କାହାଣୀ ଲୁଚି ରହିଛି । ୧୮୫୭ ମସିହା ଡିସେମ୍ବର ୩୦ ତାରିଖରେ ସମ୍ବଲପୁରର କୁଦୋପାଲିରେ ଇଂରେଜମାନଙ୍କ ସହିତ ଯୁଦ୍ଧ କରି ବୀର ସୁରେନ୍ଦ୍ର ସାଏଙ୍କ ଭାଇ ଛବିଳ ସାଏ ସହିଦ ହୋଇଥିଲେ । ଏହା ଭାରତୀୟ ସଂଗ୍ରାମ ଇତିହାସରେ ଏକ ଉଲ୍ଲେଖନୀୟ ଘଟଣା । ଆଗାମୀ ଦିନରେ ଏହି ପୁସ୍ତକକୁ ୧୦ଟି ଭାଷାରେ ସଂସ୍କରଣ ପ୍ରକାଶ କରିବାକୁ କେନ୍ଦ୍ରମନ୍ତ୍ରୀ କହିଥିଲେ । ସମ୍ବଲପୁରରେ ହୋଇଥିବା କ୍ରାନ୍ତିର ୨ଶହ ବର୍ଷ ପାଳନ ଅବସରରେ ଏହି ପୁସ୍ତକ ଉଚିତ୍ ଅବସର ଆଣି ଦେଇଛି ବୋଲି କହିଥିଲେ । ବିଧାୟକ ଜୟନାରାୟଣ ମିଶ୍ର, ଆଇଆଇଏମ୍‌ର ନିର୍ଦ୍ଦେଶକ ମହାଦେଓ ଜୟସ୍ୱାଲ, ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ବିଧୁଭୂଷଣ ମିଶ୍ର, ଆଇଜି ହିମାଂଶୁ ଲାଲ, ଆର୍‌ଡିସି ସଚିନ ରାମଚନ୍ଦ୍ର ଯାଦବ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବୋଳିରାମ ବୋନ୍ଦର, ଏସ୍‌ପି ମୁକେଶ ଭାମୁ ପ୍ରମୁଖ ଉପସ୍ଥିତ ଥିଲେ । ଇତିହାସ ଗବେଷକ ତଥା ଲେଖକ ଦୀପକ ପଣ୍ଡା ସ୍ୱାଗତ ଭାଷଣ ଦେଲେ । କୁଦୋପାଲିର ଐତିହାସି ସଂଗ୍ରାମକୁ ଲୋକଲୋଚନକୁ ଆଣିବାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଭୂମିକା ଏବଂ ଏହି ପୁସ୍ତକର ପରିପ୍ରକାଶ ଉଲ୍ଲେଖନୀୟ । ଏହି ଯୁଦ୍ଧରେ ୫୩ ଜଣ ଇଂରେଜ ଗୁଳିରେ ସହିଦ ହୋଇଥିବା ବେଳେ ୪ ଜଣ ଫାଶିଖୁଣ୍ଟରେ ଝୁଲିବା ଘଟଣା ସ୍ୱାଧୀନତା ସଂଗ୍ରାମର ଇତିହାସରେ ଏକ ବିରଳ ଘଟଣା ବୋଲି ସେ କହିଥିଲେ । ଆଜି ବୀର ସୁରେନ୍ଦ୍ର ସାଏ ସ୍ମୃତି କମିଟି ପକ୍ଷରୁ ସମ୍ବଲପୁରରେ ଏକ ପଦଯାତ୍ରା ସହିତ କୁଦୋପାଲି ପାହାଡ଼ ଓ ସହିଦ ସ୍ତମ୍ଭରେ ସଭା କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande