ସମ୍ବଲପୁର, ୨୨ ଡିସେମ୍ବର (ହି.ସ.)- ରାଜ୍ୟର ପାଣିପାଗ ବ୍ୟବସ୍ଥାକୁ ଟ୍ରାକିଂ କରିବା ପାଇଁ କାର୍ଯ୍ୟକାରୀ ରାଡାର ସିଷ୍ଟମ ଓଡ଼ିଶାର ସମ୍ବଲପୁରରେ ସି- ବ୍ୟାଣ୍ଡ ଡପ୍ଲର ପାଣିପାଗ ରାଡାର (ଡିଡବ୍ଲ୍ୟୁଆର) ସ୍ଥାପନ କରାଯାଇଛି । ଆଜି ଏହାକୁ ଉଦଘାଟନ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଉପକୂଳ ଓଡ଼ିଶା ତଥା ପାରାଦ୍ୱୀପ ଓ ଗୋପାଳପୁରରେ ଦୁଇଟି ଡିଡବ୍ଲ୍ୟୁଆର ଷ୍ଟେସନ ଓଡ଼ିଶାର ଉପକୂଳବର୍ତୀ ଅଂଚଳରେ କାର୍ଯ୍ୟକ୍ଷମ ହେଉଥିବା ବେଳେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ ଓ ନୂଆପଡ଼ା ଭଳି ଗୁରୁତ୍ୱପୂର୍ଣ୍ଣ ଆଭ୍ୟନ୍ତରିଣ ଅଂଚଳ ଏବେ ମଧ୍ୟ ଅନ୍ତର୍ଭୁକ୍ତରୁ ବଂଚିତ ରହିଛି । ସମ୍ବଲପୁରରେ ବର୍ତମାନର ସ୍ଥାପିତ ରାଡାର ବ୍ୟବସ୍ଥା ପାଣିପାଗର ଆଗୁଆ ସତର୍କ ସୂଚନା ଦେବା ସହ ହୀରାକୁଦ ଡ୍ୟାମ୍ ର ପ୍ରଭାବଶାଳୀ ଜଳ ପରିଚାଳନା ରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ସୂଚନା ଯୋଗ୍ୟ, ପାଣିପାଗ ପୂର୍ବାନୁମାନ ସଠିକତା ବୃଦ୍ଧି କରି ସି ବ୍ୟାଣ୍ଡ ରାଡାର ଜଳସେଚନ ଓ ଜଳ ବିଦ୍ୟୁତ ଉତ୍ପାଦନ ପାଇଁ ବିଶେଷ ସହାୟକ ହେବ । ଏଥିପାଇଁ ଭାରତ ପାଣିପାଗ ବିଭାଗ ପକ୍ଷରୁ ଡପ୍ଲର ରାଡାର ସ୍ଥାପନ ପାଇଁ ୧୧, ୧୦୦ ବର୍ଗଫୁଟ୍ ପରିସୀମାରେ ଏକ ୫ ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯାଉଛି ।
ସୂଚନା ଯୋଗ୍ୟ, ୨୦୨୩ -୧୪ ମସିହାରେ ଆରମ୍ଭ ହୋଇଥିବାେ ଏହି କୋଠାର ଟେଣ୍ଡର ମୂଲ୍ୟ ୨.୧୯ କୋଟି ଥିବା ବେଳେ ଅଦ୍ୟାବଧି ୧.୫୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ନୂତନ ରାଡାର ଡୋମ ଷ୍ଟ୍ରକଚର ନିର୍ମାଣ ଓ କୋଠାର ବଳକା କାର୍ଯ୍ୟ ପାଇଁ ୪.୨୦ କୋଟି ଟଙ୍କା ବ୍ୟୟବରାଦର ରାଜିନାମା ହୋଇଛି । ଆଗାମୀ ୬ ମାସ ମଧ୍ୟରେ ସମସ୍ତ କାର୍ଯ୍ୟ ସାରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି । ବାହ୍ୟ ବିଦ୍ୟୁତ ଯୋଗାଣ, ସିସିଟିଭି ଓ ଆସବାବପତ୍ର ପାଇଁ ୮୪ ଲକ୍ଷ ଟଙ୍କାର ବ୍ୟୟବରାଦ ରଖାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ