ମାଲକାନଗିରି,୧ ଜୁଲାଇ (ହି. ସ.)- ମାଲକାନଗିରି ମହାବିଦ୍ୟାଳୟରେ ଦୀର୍ଘ ୩୦ ବର୍ଷ ଧରି ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବରେ ନିଜର ନିରନ୍ତର କର୍ମ ସାଧନା ପରେ ଗତକାଲି ସୁନୀଲ କୁମାର ସୋରେନ ଅବସର ଗ୍ରହଣ କରିଛନ୍ତି। ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର, ପରିଚାଳନା କମିଟିର ସଭାପତି ଡକ୍ଟର ଉଦୟନାଥ ଖରା, ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ବୃନ୍ଦ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ଆଜି ଦିନ ୧୧ଟା ସମୟରେ ଉପସ୍ଥିତ ରହି ଅବସରକାଳୀନ ବିଦାୟୀ ଜଣାଇବା ସହିତ ସୁନୀଲ କୁମାର ସୋରେନଙ୍କର ଦୀର୍ଘ ୩୦ ବର୍ଷ ଚାକିରୀ କାଳ ଭିତରେ କିଭଳି ଭାବରେ ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଥିଲେ ଏବଂ ମହାବିଦ୍ୟାଳୟକୁ ନିଜ ଘର ଠାରୁ ମଧ୍ୟ ଅଧିକ ଭଲ ପାଉଥିଲେ ସେ ସମ୍ପର୍କରେ ମତ ପ୍ରକାଶ ପାଇଥିଲା। ତାଙ୍କର ଅବସର ପାଇଁ ମହାବିଦ୍ୟାଳୟରେ ଶୋକର ବାତାବରଣ ଖେଳି ଯାଇଥିଲା। ପ୍ରଥମେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରାଯିବା ସହିତ ମାନପତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ଦେଇ ମହାବିଦ୍ୟାଳୟର କର୍ମଚାରୀମାନେ ବିଦାୟୀ ଜଣାଇଥିଲେ।
୧୯୮୬ ମସିହାରୁ ନିଜର ଚାକିରୀ ଜୀବନ ଆରମ୍ଭ କରିଥିବା ସୁନୀଲ କୁମାର ସୋରେନ ବ୍ୟକ୍ତି ଭାବରେ ଅତି ସରଳ, ନିରାଡ଼ମ୍ବର ଓ କର୍ମଠ ଅଟନ୍ତି। ତାଙ୍କର ଅବସର ମହାବିଦ୍ୟାଳୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଅଣଶିକ୍ଷକ କର୍ମଚାରୀ ମତପ୍ରକାଶ କରିଥିଲେ। ସେ ନିଜର ଚାକିରୀ ସମୟ ମଧ୍ୟରେ ମହାବିଦ୍ୟାଳୟର ଅନେକ ଦାୟିତ୍ଵକୁ ନିଷ୍ଠାପର ଭାବେ ତୁଲାଇ ସମସ୍ତଙ୍କର ପ୍ରିୟ ଭାଜନ ହୋଇ ପାରିଥିଲେ।
ଏହି କାର୍ଯ୍ୟକ୍ରମକୁ ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ପରିଚାଳନା କରିବା ସହିତ ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ପ୍ରଦୀପ୍ତ/ସମନ୍ୱୟ