ଜଳବାୟୁ ସ୍ଥିରତା, ସ୍ଥାୟୀ ବିକାଶ ଅଭିବୃଦ୍ଧି, ସମୃଦ୍ଧ ଜୈବ ବିବିଧତା ଏବଂ ଉପକୂଳୀୟ ପରିସଂସ୍ଥା ସୁରକ୍ଷାର ସୁଦୃଢୀକରଣ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ଆଇଆଇଟି ଭୁବନେଶ୍ବର, ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ଓ ସିଇଇଡବ୍ଲ୍ୟୁ ମଧ୍ୟରେ ଏମଓୟୁ ସ୍ବାକ୍ଷର
ଭୁବନେଶ୍ୱର, 22 ଜାନୁଆରି (ହି.ସ.)ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ବରୂପ, ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ବାରା ରାଜ୍ୟରେ ଜଳବାୟୁ ସ୍ଥିରତା ଏବଂ ସ୍ଥାୟୀ ବିକାଶ ପ୍ରୟାସକୁ ବୃଦ୍ଧି କରିବା ପାଇଁ ତିନୋଟି ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହି ସହଯୋଗଗୁଡ଼ିକ ଜଳବାୟୁ ପରିବର୍ତ୍ତନ ଚ୍ୟାଲେଞ୍ଜର ମୁକାବିଲା କରିବା, ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରିବା ଏବଂ ଓଡ଼ିଶାର ସମୃଦ୍ଧ ଜୈବ ବିବିଧତା ତଥା ଉପକୂଳୀୟ ପରିସଂସ୍ଥାକୁ ସୁରକ୍ଷା ଦେବା ପାଇଁ ଲକ୍ଷ୍ୟ ରଖୁଛନ୍ତି ।
ଉପକୂଳ ପରିସଂସ୍ଥାର ପୁନରୁଦ୍ଧାର, ସୁରକ୍ଷା ଏବଂ ପରିଚାଳନା ନିମନ୍ତେ ଆଇଆଇଟି, ଭୁବନେଶ୍ବର ସହ ଭାଗିଦାରୀତା:- “ଓଡିଶା ଉପକୂଳରେ ସାମୁଦ୍ରିକ ଘାସ ଶଯ୍ୟା ଓ ଲୁଣ ଜଳାଶୟର ସୁରକ୍ଷା, ପୁନରୁଦ୍ଧାର ଏବଂ ପରିଚାଳନା ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସ୍ଵରୂପ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ “ଭାରତୀୟ ଉପକୂଳ ଅଧିବାସୀ ଗୋଷ୍ଠୀଙ୍କ ନିମନ୍ତେ ଜଳବାୟୁ ସହନଶୀଳତା ଅଭିବୃଦ୍ଧି ପ୍ରକଳ୍ପ ଅଧୀନରେ ଆଇଆଇଟି ଭୁବନେଶ୍ବର ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି । ଏହି ସହଯୋଗ ସାମୁଦ୍ରିକ ଘାସ ଶଯ୍ୟା ଓ ଲୁଣ ଜଳାଶୟ ସମେତ ଗୁରୁତ୍ବପୂର୍ଣ୍ଣ ଉପକୂଳୀୟ ପରିସଂସ୍ଥାର ପୁନରୁଦ୍ଧାର କରିବା ଉପରେ ଧ୍ୟାନ କେନ୍ଦ୍ରିତ କରେ, ଯାହା ଜୈବ ବିବିଧତା, କାର୍ବନ ସିକ୍ୱେଷ୍ଟ୍ରେସନ୍ ଏବଂ ଉପକୂଳ ସୁରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ। ଏହା ଉପକୂଳ ଅଧିବାସୀ ଗୋଷ୍ଠୀଙ୍କ ନିମନ୍ତେ ଜଳବାୟୁ ସହନଶୀଳତା ଅଭିବୃଦ୍ଧି କରିବା ପାଇଁ ଇକୋସିଷ୍ଟମ-ଆଧାରିତ ପଦ୍ଧତି ଉପରେ ଗୁରୁତ୍ଵ ପ୍ରଦାନ କରିବ । ଓଡ଼ିଶା ଉପକୂଳରେ ସମୁଦ୍ର ଘାସ ଏବଂ ଲୁଣ ଜଳାଶୟ ଇକୋସିଷ୍ଟମର ପୁନରୁଦ୍ଧାର, ସୁରକ୍ଷା ଏବଂ ସ୍ଥାୟୀ ପରିଚାଳନା ପାଇଁ ବୈଷୟିକ ସହାୟତା ସଂସ୍ଥା ଭାବରେ ମନୋନୀତ, ଆଇଆଇଟି ଭୁବନେଶ୍ବର ଏହାର ପରିଚାଳନା ପାଇଁ ବୈଷୟିକ ସହାୟତା ପ୍ରଦାନ କରିବ। ମାନ୍ୟବର ମନ୍ତ୍ରୀ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଗୁରୁତ୍ବାରୋପ କରିଛନ୍ତି ଯେ ଆଇଆଇଟି ଭୁବନେଶ୍ବର ସହିତ ଭାଗିଦାରୀତା ସ୍ଥାୟୀ ଉପକୂଳ ପରିଚାଳନା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଉନ୍ନତ ଗବେଷଣା ସୁଯୋଗ ଏବଂ ଗୋଷ୍ଠୀ ସମ୍ପୃକ୍ତ ପଦକ୍ଷେପ ପାଇଁ ପଥ ପ୍ରଶସ୍ତ କରିବାରେ ସହାୟକ ସାବ୍ୟସ୍ତ ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ