ବରଗଡ଼, ୩୦ ଜାନୁଆରୀ (ହି.ସ.)- ଜାନୁୟାରୀ ୨୦ ରୁ ୨୪ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍ଗକକ ଠାରେ ଆୟୋଜିତ ହେଉଥିବା ପଞ୍ଚମ ଥାଇଲାଣ୍ଡ ଆନ୍ତର୍ଜାତିକ ମାଷ୍ଟର ଓପନ୍ ଗେମ୍ ପ୍ରତିଯୋଗିତାରେ ବରଗଡ଼ର ସନ୍ତୋଷ ପଧାନ କୃତୀତ୍ୱ ହାସଲ କରିଛନ୍ତି । ସନ୍ତୋଷ ନିଜର ବ୍ୟକ୍ତିଗତ ଇଭେଣ୍ଟ ଶହେ ମିଟର ବାଧାଦୌଡ଼ ରେ ସ୍ୱର୍ଣ୍ଣ ପଦକ ସହ ଟ୍ରିପଲ ଜମ୍ପ୍ ଓ ଲମ୍ବ ଡିଆଁରେ ରୋପ୍ୟ ପଦକ ହାସଲ କରିଥିଲେ । ଏହାବ୍ୟତୀତ ମିଳିତ ଚାରି ଗୁଣା ଶହେ ମିଟର ଦୌଡରେ ଦେଶ ପାଇଁ ସ୍ପର୍ଣ୍ଣ ପଦକ ହାସଲ କରିଥିଲେ । ଏହି ପ୍ରତିଯୋଗିତାରେ ୩୦ ଟି ଦେଶରୁ ପ୍ରାୟ ଦୁଇ ହଜାର ପ୍ରତିଯୋଗୀ ଉଭୟ ପୁରୁଷ ଓ ମହିଳା ଖେଳାଳି ଅଂଶଗ୍ରହଣ କରିଥିଲେ । ଭାରତୀୟ ଆଥଲେଟିକ ସଂଘ ପକ୍ଷରୁ ଓଡିଶାରୁ ଚାରିଜଣ ଖେଳାଳି ସନ୍ତୋଷ କୁମାର ପଧାନ, ପ୍ରକାଶ କୁମାର ଗଡନାୟକ, କିଶୋର୍ ଚନ୍ଦ୍ର ରଥ ଓ ଟୁକୁ ସେଠୀ ଅଂଶଗ୍ରହଣ କରିଥିଲେ । ପ୍ରକାଶ ଥାଉ କି, ଶ୍ରୀ ପଧାନ ଗତ ବର୍ଷ ମାଲେସିଆରେ ଠାରେ ଆୟୋଜିତ ୩୬ ତମ ମାଲେସିଆନ୍ ଆନ୍ତର୍ଜାତିକ ଓପନ୍ ମାଷ୍ଟର ଆଥଲେଟିକ୍ସ ଚାମ୍ପିଅନସିପ୍ ରେ ଦେଶ ପାଇଁ ଗୋଟିଏ ସ୍ପର୍ଣ୍ଣ ଏବଂ ତିନୋଟି ରୋପ୍ୟ ପଦକ ହାସଲ କରିଥିଲେ । ସନ୍ତୋଷ ପଧାନ ବିଗତ ତିନି ବର୍ଷ ହେଲା ବିଭିନ୍ନ ଜାତୀୟ ଏବଂ ଆନ୍ତର୍ଜାତୀୟ ମାଷ୍ଟର ଖେଳ ପ୍ରତିଯୋଗିତା ରୁ ପଦକ ହାସଲ କରି ଏକ ନୂଆଁ କିର୍ତ୍ତୀମାନ ହାସଲ କରିଛନ୍ତି । ବ୍ୟାଙ୍ଗକକରୁ ଫେରିବା ପରେ ବୁଧବାର ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଳ ନିଜ କାର୍ଯ୍ୟାଳୟରେ ଶ୍ରୀ ପଧାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆଗକୁ ବିଶ୍ୱ ମାଷ୍ଟର ଗେମ୍ ଥିବାରୁ ଦେଶ ପାଇଁ ଆହୁରି ପଦକ ହାସଲ କରନ୍ତୁ ବୋଲି ଆଶୀର୍ବାଦ ପ୍ରଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ