ଭୁବନେଶ୍ୱର,୧୬ ଅକ୍ଟୋବର (ହି.ସ)- ଭୁବନେଶ୍ୱରର ତିନୋଟି ଜୋନ ଗଙ୍ଗୁଆ, ୟୁନିଟ୍-୧, ୟୁନିଟ୍-୨, କଳ୍ପନା, ୱାର୍ଡ଼ ନଂ-୨୨, ସମ୍ ହସ୍ପିଟାଲ ନିକଟ, କାନନ ବିହାର ଫେଜ୍-୧, କିଟ୍, ପ୍ରଶାନ୍ତିବିହାର, ଖଣ୍ଡଗିରି ଭଳି ବିଭିନ୍ନ ଜାଗାରେ ନିଜର ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ୩ ହଜାରରୁ ଉର୍ଦ୍ଧ୍ୱ ଉଠାଦୋକାନୀ ମାନଙ୍କୁ ଭୁବନେଶ୍ୱର ମହାନଗର ନିଗମ ଉଚ୍ଛେଦ କରିବା ପ୍ରତିବାଦରେ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘ ତରଫରୁ ଗୁରୁବାର ମେୟରଙ୍କ ବାସଭବନ ଘେରାଉ ପାଇଁ ଡାକରା ଦେଇଥିଲା। କଳ୍ପନା ଛକରୁ ଉଠାଦୋକାନୀ ମାନଙ୍କ ଏକ ବିରାଟ ଶୋଭାଯାତ୍ରା ବାହାରିବା ସମୟରେ ସେଠାରେ ପୁଲିସ୍ ପହଞ୍ôଚ ଆନ୍ଦୋଳନକାରୀ ମାନଙ୍କୁ ଅଟକାଇଥିଲା। ଅଟକାଇବା ସମୟରେ ମହାସଂଘର ଉପସଭାପତି ନିରଞ୍ଜନ ପାଣ୍ଡେ ଓ ମଞ୍ଜୁଲତା ନାୟକ ପୁଲିସ୍ଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଫଳରେ ପୁଲିସ୍ ଆନ୍ଦୋଳନକାରୀ ମାନଙ୍କୁ ଆଗକୁ ଯିବାକୁ ଦେଇନଥିଲା।
ଏହାପରେ ପ୍ରଦୀପ ସାହୁ, ହରିପଦ ଦାସ, ସୂର୍ଯ୍ୟମଣି ସାହୁ, ସସ୍ମିତା ସାହୁ, ମଞ୍ଜୁଲତା ସାହୁ ଏକ ୫ ଜଣିଆ ପ୍ରତିନିଧି ମଣ୍ଡଳୀ ନିରଞ୍ଜନ ପାଣ୍ଡେଙ୍କ ନେତୃତ୍ୱରେ ବିଏମ୍ସି ଅଫିସ୍ ଯାଇ ଭେଣ୍ଡିଂଜୋନ ଡେପୁଟି କମିଶନର ଅଜୟ କୁମାର ମହାନ୍ତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ମହାସଂଘର ପ୍ରମୁଖ ଦାବି ଗୁଡିକ ହେଲା ସମ୍ପୂର୍ଣ୍ଣ ଉଠାଦୋକାନ ଉଚ୍ଛେଦ ବନ୍ଦ କରାଯାଉ, ନୂତନ ଟାଉନ ଭେଣ୍ଡିଂଜୋନ ଗଠନ କରାଯାଉ, ଉଠାଦୋକାନମାନଙ୍କୁ ଉଚ୍ଛେଦ କରି ସେଠାରେ ସାଇକେଲ ଷ୍ଟାଣ୍ଡ ଓ ଗାଡ଼ି ଷ୍ଟାଣ୍ଡ କରାନଯାଉ, ୬୭ଟି ୱାର୍ଡ଼ରେ ଟାଉନ ଭେଣ୍ଡିଂ କମିଟି ଗଠନ କରାଯାଉ, ଉଠାଦୋକାନ ଆଇନ ଅନୁଯାୟୀ ଫୁଟପାଥର ଏକ ତୃତୀୟାଂଶ ସ୍ଥାନ ଉଠାଦୋକାନୀମାନଙ୍କ ପାଇଁ ସଂରକ୍ଷଣ ରଖାଯାଉ, ପ୍ରବାସୀ ଭାରତୀୟ / ବିଶ୍ୱ ହକି ଖେଳ ସମୟରେ ଉଚ୍ଛେଦ ହୋଇଥିବା ଭୁବନେଶ୍ୱରର ଉଠାଦୋକାନୀମାନଙ୍କୁ ତୁରନ୍ତ ଥଇଥାନ କରାଯାଉ, ଉଚ୍ଛେଦ ସମୟରେ ଉଠାଦୋକାନୀ ଆଇନ ଅନୁଯାୟୀ ସେମାନଙ୍କର ତାଲିକା / ଜବତ ଜିନିଷର ତାଲିକା ପ୍ରସ୍ତୁତ କରାଯାଉ, ଭୁବନେଶ୍ୱରରେ ଥିବା ଉଠାଦୋକାନୀମାନଙ୍କୁ ତୁରନ୍ତ ସର୍ଭେ କରାଯାଇ ଭେଣ୍ଡିଂ ସାର୍ଟିଫିକେଟ ଓ ଲାଇସେନ୍ସ ପ୍ରଦାନ କରାଯାଉ, ପି.ଏମ୍ ସ୍ୱ ନିଧି ଯୋଜନାରେ ସମସ୍ତ ଉଠାଦୋକାନୀମାନଙ୍କୁ ଲୋନ ପ୍ରଦାନ କରାଯାଉ, ସମସ୍ତ ଉଠାଦୋକାନୀମାନଙ୍କ ଠାରୁ ୟୁଜର ଫି, ଟ୍ରେଡ, ଲାଇସେନ୍ସ, ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯାଉ, ଭୁବନେଶ୍ୱରରେ ଉଠାଦୋକାନୀମାନଙ୍କ ଠାରୁ ଫେକ୍ ଟ୍ରେଡ଼ ଲାଇସେନ୍ସ, ୟୁଜର ଫି, ଫୁଡ୍ ଲାଇସେନ୍ସ, ପି.ଏମ୍. ସ୍ୱ ନିଧି ଯୋଜନାରେ ହୋଇଥିବା ଦୁର୍ନୀତିକୁ କ୍ରାଇମ ବ୍ରାଞ୍ଚ ତଦନ୍ତ କରାଯାଉ, ଭୁବନେଶ୍ୱରରେ ମହିଳାମାନଙ୍କ, କିନ୍ନର ଓ ଭିନ୍ନକ୍ଷମଙ୍କ ପାଇଁ ଭେଣ୍ଡିଂଜୋନରେ ସ୍ଥାନ ସଂରକ୍ଷଣ କରାଯାଉ, ଭୁବନେଶ୍ୱରରେ ଉଚ୍ଛେଦ ସମୟରେ ଉଠାଦୋକାନୀମାନଙ୍କୁ ଦୁର୍ବ୍ୟବହାର କରୁଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ, ଇତ୍ୟାଦି।
ଅତିରିକ୍ତ କମିଶନର ସମସ୍ତ ଦାବି ପ୍ରତି ଦୃଷ୍ଟି ଦେଇ କହିଲେ ଯେ, ଯେଉଁମାନଙ୍କର ଦୋକାନ ଉଚ୍ଛେଦ କରାଯିବ ସେମାନଙ୍କୁ ଭେଣ୍ଡିଂଜୋନ ମାଧ୍ୟମରେ ଥଇଥାନ କରାଯିବା ସହ ପାଣି, ଶୌଚାଳୟ, ବିଜୁଳିର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା