ସୁବର୍ଣ୍ଣପୁର, ୨୧ ଅକ୍ଟୋବର (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ମନୋହରୀ ପଡ଼ା ଓ ପାତିକାର ପଡ଼ା ମଧ୍ୟରେ ବାଣ ଫୁଟାକୁ ନେଇ ଗତକାଲି ଦୀପାବଳୀ ରାତିରେ ଗୋଷ୍ଠି ସଂଘର୍ଷ ଘଟିଯାଇଛି । ଯାହା ଫଳରେ ମନୋହରୀ ପଡ଼ାର ପାଞ୍ଚ ଜଣଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା, ହେଲେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ସୂଚନା ଅନୁଯାୟୀ, ମନୋହରୀପଡ଼ା ଠାରେ ପାତିକାର ପଡ଼ାର କିଛି ଯୁବକ ବାଣ ଫୁଟାଇ ଥିଲେ ଏବଂ ବାଣ(ଫଟକା) ଟି ଜଣଙ୍କ ଘର ଭିତରକୁ ପଶିଯାଇଥିଲା । ମନୋହରୀ ପଡ଼ାର କିଛି ଯୁବକ ପାତିକାର ପଡ଼ାର ଯୁବକଙ୍କୁ ବାଣ ଫୁଟାଇବାକୁ ବାରଣ କରିଥିଲେ । କିନ୍ତୁ, ଯୁବକ ମାନେ ନିଶାସକ୍ତ ଅବସ୍ଥାରେ ଥିବାରୁ ପରସ୍ପର ମଧ୍ୟରେ କଥା କଟା କଟି ହୋଇଥିଲା । ପାତିକାର ପଡ଼ାର କିଛି ଯୁବକ ଏକତ୍ରିତ ହୋଇ ମନୋହରୀ ପଡ଼ାର ଯୁବକ ମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଘଟଣା ଉଗ୍ରରୂପ ଧାରଣ କରିଥିଲା । ଗୁରୁତର ପାଞ୍ଚ ଜଣ ହେଲେ କାଳିଆ ମଲ୍ଲିକ (୩୫), ଆହତ ରାଜୁ ମଲ୍ଲିକ, ବବଳୁ ମଲ୍ଲିକ, ଅନାମ ମଲ୍ଲିକ, ମଲି ମଲ୍ଲିକ । ତେବେ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ପଠାଇବା ପରେ ପୋଲିସ ଉଭୟ ପକ୍ଷର ଲୋକଙ୍କୁ ବୁଝାସୁଝା କରିବା ନେଇ ଆଲୋଚନା ଜାରି ରଖିଛି । ଘଟଣାର ଖବର ପାଇ ବିଳମ୍ବିତ ରାତିରେ ସୋନପୁର ଏସଡିପିଓ ପ୍ରତାପ ତ୍ରିପାଠୀଙ୍କ ସହିତ ପୋଲିସ ଫୋର୍ସ ମଧ୍ୟ ପହଂଚିଥିଲେ I
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ