
Bhubaneswar, 22 ଅକ୍ଟୋବର (ହି.ସ.)
ବାଲେଶ୍ୱରସ୍ଥିତ ବିର୍ଲା ଟାୟାର୍ସରେ କାର୍ଯ୍ୟ କରି ଆସିଥିବା ଶ୍ରମିକ ଓ କର୍ମଚାରୀମାନେ ସେମାନଙ୍କର ପରିବାର ବର୍ଗଙ୍କ ସହ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଦିନ ୧୦ଘଟିକାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣାରେ ବସିଛନ୍ତି । ଗତ ୧୯୯୦ ମସିହାରୁ ଉତ୍ତର ଓଡ଼ିଶାର ଏକ ପ୍ରମୁଖ ଶିଳ୍ପଭାବେ ବିର୍ଲା ଟାୟାର୍ସ ବହୁ ସୁନାମ ଅର୍ଜନ କରିଥିଲା । କିନ୍ତୁ ଗତ ୪ବର୍ଷ ତଳେ ପରିଚାଳନା ଗତ ତ୍ରୁଟି ଯୋଗୁ କାରଖାନା ବନ୍ଦ ହୋଇଯାଇଥିଲା । ଏହି କାରଖାନାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କାର୍ଯ୍ୟ କରୁଥିବା ପ୍ରାୟ ୫ ହଜାର ପରିବାର ରୋଜଗାର ହରାଇ ବହୁ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି । ଏନ୍ସିଏଲ୍ଟିର ନିଦେ୍ର୍ଦଶମତେ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ ପାଇଁ ‘ଡାଲମିଆ ଭାରତ’ ଓ ‘ହିମାଦ୍ରୀ କେମିକାଲସ’କୁ ବୁର୍ଲା ଟାୟାର୍ସ ହସ୍ତାନ୍ତର ପରେ ନୂତନ କର୍ତ୍ତୃପକ୍ଷ ଠିକା ଶ୍ରମିକ ନିଯୁକ୍ତି ଦେଇ କାରଖାନା ଚଳାଉଛନ୍ତି । କିନ୍ତୁ ପୁରୁଣା ଶ୍ରମିକମାନଙ୍କୁ କାରଖାନାରେ ପୁନଃନିଯୁକ୍ତି କିମ୍ବା ସେମାନଙ୍କର ଆଇନଗତ ବକେୟା ପ୍ରାପ୍ୟ ପ୍ରଦାନ କରୁନାହାନ୍ତି । ବିଭିନ୍ନ ପର୍ଯ୍ୟାୟରେ ବାଲେଶ୍ୱରରେ ଶ୍ରମିକମାନେ ଆନେ୍ଦାଳନ କରି କୌଣସି ନ୍ୟାୟ ନପାଇବାରୁ ଭୁବନେଶ୍ୱରରେ ଧାରଣାରେ ବସିଛନ୍ତି ।
ବିର୍ଲା ଟାୟାର୍ସ ଶ୍ରମିକମାନଙ୍କ ଆନେ୍ଦାଳନକୁ ସମର୍ଥନ କରି ପୂର୍ବତନ ଶ୍ରମ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଆଇଏନ୍ଟିୟୁସି ପକ୍ଷରୁ କିଶୋର ଜେନା, ଏଆଇଟିୟୁସିରୁ ବିଜୟ ଜେନା, ସୁରଜେନା, ଜୟନ୍ତ ଦାସ, ଏଆଇସିସିଟିୟୁ ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ସିଆଇଟିୟୁର ଜନାର୍ଦ୍ଦନ ପତି, ବିଷ୍ଣୁ ମହାନ୍ତି, ପୁଷ୍ପା ଦାସ, ଏଆଇ ୟୁଟିୟୁସିରୁ ପୂର୍ଣ୍ଣଚନ୍ଦ୍ର ବେହେରା ଓ ସାମାଜିକ କର୍ମୀ ଅରୁଣ ଜେନା ପ୍ରମୁଖ ବକ୍ତବ୍ୟ ଦେଇ ବିର୍ଲାଟାୟାର ଶ୍ରମିକଙ୍କ ନ୍ୟାୟୋଚିତ ଦାବି ମାନିନେବାକୁ ଆହ୍ୱାନ ଦେଇଥିଲେ । ପୂର୍ବତନ ବିଧାୟକ ତଥା ବାଲେଶ୍ୱର ଟ୍ରେଡ୍ ୟୁନିୟନ ଆସୋସିଏସନ୍ ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରଦୀପ୍ତ ପଣ୍ଡା, ଉପସଭାପତି ଶାନ୍ତନୁ ଦାସ ଓ ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଧାରଣାସ୍ଥଳରେ ଉଦ୍ବୋଧନ ଦେଇଥିଲେ । ପରେ ଏକ ପ୍ରତିନିଧିମଣ୍ଡଳି ଶ୍ରମ କମିଶନର ଏବଂ ଶ୍ରମ ସଚିବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିନିଧିଦଳରେ ବିର୍ଲାଟାୟାର୍ସ ମିଳିତ ଶ୍ରମିକ ସଂଘର ଆବାହକ ସତ୍ୟନାରାୟଣ ଆଚାର୍ଯ୍ୟଙ୍କ ସମେତ ତପନ କୁମାର ଭୁୟାଂ, ଚନ୍ଦ୍ରନ ଆଚାର୍ଯ୍ୟ, ଗଦାଧର ବାରିକ, ଦୁକୁଲ୍ ଘଡେଇ ପ୍ରମୁଖ ନେତୃତ୍ୱ ନେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା