
ଖୋର୍ଦ୍ଧା,, 22 ଅକ୍ଟୋବର (ହି.ସ.) ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଦୀପାବଳି ଅବସରରେ ଏକ ନିଆରା କାର୍ଯ୍ୟ ସମ୍ପାଦନ କରି ଶ୍ମଶାନ ସଫେଇ କରି ଚର୍ଚ୍ଚାରେ ରହୁଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସେବା ପ୍ରତିନିଧି । ସୂଚନାଯୋଗ୍ୟ, ଶ୍ମଶାନ ଭୂମିର ସୁରକ୍ଷା ତଥା ପରିଷ୍କାର ପରିଚ୍ଛନ୍ନ କଥାକୁ ମନେ ପକାଇବାକୁ ଯାଇ ଚଳିତ ବର୍ଷ ସେବା ପ୍ରତିନିଧି ସଙ୍ଗଠନର ମୁଖ୍ୟ ସଙ୍ଗଠକ ସମାଜସେବୀ ନୀଳମଣି ମିଶ୍ରଙ୍କ ଡ଼ାକରାରେ ପିତୃପୁରୁଷଙ୍କ ସ୍ମୃତିରେ ଭୁବନେଶ୍ୱର, ଅନୁଗୁଳ ତଥା ପାରଳାଖେମୁଣ୍ଡି ଆଦି ସ୍ଥାନରେ ସମାନ ସମୟରେ ଏକ ବିଶାଳ ଶ୍ମଶାନ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ଭୁବନେଶ୍ୱରର ସୁନ୍ଦରପଦାସ୍ଥ ଫୁଟବଲ ପଡିଆ ନିକଟରେ ଥିବା ଶ୍ମଶାନକୁ ସଫେଇ କରାଯାଇଥିଲା। ସେହି ସମୟରେ ଅନୁଗୁଳର ଛେଳିଆପଡ଼ା ଭାଲୁଖାଇ ନାଳ ନିକଟସ୍ଥ ଶ୍ମଶାନକୁ ଶ୍ରୀ ମିଶ୍ରଙ୍କ ସମେତ ସଙ୍ଗଠନର ସଂଗ୍ରାମ ପ୍ରଧାନ, କହ୍ନେଇ ପ୍ରଧାନ ଓ ପ୍ରଦୀପ ସାହୁଙ୍କ ତତ୍ତ୍ୱାବଧାନରେ ସଫା କରାଯାଇଥିଲା। ସେହିପରି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ଗାୟତ୍ରୀ ଶକ୍ତିପୀଠର ସନ୍ତୋଷ କୁମାର ଗନ୍ତାୟତ, ପରିବେଶବିଦ ମନୋଜ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ୍ବ ବ୍ୟକ୍ତିବିଶେଷ ଯୋଗ ଦେଇ ମହେନ୍ଦ୍ରତନୟା ନଦୀ ନିକଟସ୍ଥ ଶ୍ମଶାନକୁ ସକାଳ ୬.୩୦ରୁ ୮.୩୦ ପର୍ଯ୍ୟନ୍ତ ସଫେଇ କରି ପରିଷ୍କାର କରିଥିଲେ। ସଙ୍ଗଠନର ଏଭଳି ନିଆରା ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ରାକେଶ