
ଆଗ୍ରା, ୨୫ ଅକ୍ଟୋବର (ହି.ସ.)- ଉତର ପ୍ରଦେଶର ଆଗ୍ରା ଜିଲ୍ଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ପୋଲିସ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣା ସମ୍ପର୍କରେ ଅବଗତ ଅଛନ୍ତି । ସେ ମୃତକଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କୁ ସର୍ବୋତମ ଚିକିତ୍ସା ଯୋଗାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ନୂତନ ଆଗ୍ରା ପୋଲିସ ଷ୍ଟେସନ୍ ପ୍ରଭାରୀ ରାଜୀବ ତ୍ୟାଗୀ ଶନିବାର କହିଛନ୍ତି ଯେ, ଆଗ୍ରାର ନାଗଲା ବୁଧି ଦୟାଲବାଗ ରୋଡ୍ ରେ ଜତିନ୍ ରିସର୍ଟ ସମ୍ମୁଖରେ ଏକ ଦ୍ରୁତଗାମୀ କାର୍ ଅନଲାଇନ୍ ଖାଦ୍ୟ ବିତରଣକାରୀ ବାଇକ୍ ଆରୋହୀ ଭାନୁ ପ୍ରତାପଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ନିଜ ଜୀବନ ବଂଚାଇ ଖସି ପଳାଉଥିବା ଡ୍ରାଇଭରଙ୍କୁ ଚେକିଂ ସମୟରେ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ସେ ତାଙ୍କ ଗତି ବଢ଼ାଇ ଦେଇଥିଲେ । କାର୍ ଟି ନାଗଲା ବୁଧିର ବାସିନ୍ଦା ବବଲି (୩୮), କମଲ (୨୩), କୃଷ୍ଣ (୨୦) ଏବଂ ଅନ୍ୟ ଜଣେ ପଥିକ ବନ୍ତେଶ (୫୦)ଙ୍କୁ ଧକ୍କା ଦେଇଥିଲା ଏବଂ ପରେ ଏକ ଡିଭାଇଡରରେ ଧକ୍କା ଦେଇ ଓଲଟି ପଡ଼ିଥିଲା । ସଡ଼କ ପାର୍ କରି କାର୍ ଟି ଘର ବାହାରେ ବସିଥିବା ଅନେକ ଲୋକଙ୍କୁ ଧକ୍କା ଦେଇଥିଲା । ପଥଚାରୀମାନେ କାର୍ ତଳେ ଚାପି ହୋଇ ରହିଥିବା ରାହୁଲ ଏବଂ ବୀରେନ୍ଦ୍ର ସମେତ ଅନ୍ୟମାନଙ୍କୁ ବାହାରକୁ ବାହାର କରିଥିଲେ । ଲୋକମାନେ କାର୍ ର କାଚ ଭାଙ୍ଗି ଡ୍ରାଇଭରଙ୍କୁ ବାହାରକୁ ଟାଣି ଆଣି ପିଟିବା ଆରମ୍ଭ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଭିଡ଼ରୁ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା ଏବଂ ତାଙ୍କୁ ହେପାଜତକୁ ନେଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ