
ଗୌତମ ବୁଦ୍ଧ ନଗର, ୨୫ ଅକ୍ଟୋବର (ହି.ସ.)- ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଜେୱାରରେ ନିର୍ମିତ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିଛନ୍ତି । ମୁଖ୍ୟମନ୍ତ୍ରୀ ସେଠାରେ ଚାଲିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେ ଜେୱାର ବିମାନବନ୍ଦର ସହିତ ଜଡ଼ିତ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ, ଯଥାଶୀଘ୍ର ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯାଉ । ମୁଖ୍ୟମନ୍ତ୍ରୀଙ୍କ ଏହି ଆଗମନ ପରେ ଚର୍ଚ୍ଚା ହେଉଛି ଯେ, ନଭେମ୍ବର ମାସର ଶେଷ ସପ୍ତାହ କିମ୍ବା ଡିସେମ୍ବରରେ ଜେୱାର ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ ହେବ ।
ବୈଠକ ସମୟରେ, ଯମୁନା ବିକାଶ କର୍ତୃପକ୍ଷର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆରକେ ସିଂହ, ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (ଏନଆଇଏଏଲ୍)ର ଅଧିକାରୀ, ଜିଲ୍ଲା ପ୍ରଶାସନ ଅଧିକାରୀ, ପୋଲିସ ଅଧିକାରୀ, ଜେୱାର ବିଧାୟକ ଧୀରେନ୍ଦ୍ର ସିଂହ ଏବଂ ଗୌତମ ବୁଦ୍ଧ ନଗର ଜିଲ୍ଲା ପ୍ରଭାରୀ ମନ୍ତ୍ରୀ କୁନଭର ବ୍ରିଜେଶ ସିଂହଙ୍କ ସମେତ ବହୁ ସଂଖ୍ୟକ ଅଧିକାରୀ ଏବଂ ନେତା ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଗମନ ଯୋଗୁଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ହିଣ୍ଡନ ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ଆସି ମଧ୍ୟାହ୍ନ ପ୍ରାୟ ୧୨ଟାରେ ଜେୱାର ବିମାନବନ୍ଦରରେ ପହଂଚି ଥିଲେ । ସେ ସେଠାରେ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ ଏବଂ ପରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ଆସନ୍ତାକାଲି ଗାଜିଆବାଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଏକ ହସ୍ପିଟାଲ ଉଦଘାଟନ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ