
ବିଜାପୁର, ୨୫ ଅକ୍ଟୋବର (ହି.ସ.)- ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲାରେ ଗତକାଲି ରାତିରେ ନକ୍ସଲମାନେ ଧାରୁଆ ଅସ୍ତ୍ରରେ ଦୁଇ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି । ମୃତକଙ୍କ ନାମ ରବି କଟ୍ଟମ (୨୫ ବର୍ଷ) ଏବଂ ତିରୁପତି ସୋଧି (୩୮ ବର୍ଷ) ବୋଲି ଚିହ୍ନଟ କରାଯାଇଛି । ତିରୁପତିଙ୍କ ଭାଇ ଜଣେ ସିଆରପିଏଫ ଜବାନ ।
ପୋଲିସ ସନ୍ଦେହ କରୁଛି ଯେ, ନକ୍ସଲମାନେ ପ୍ରତିଶୋଧ ନେବା ପାଇଁ ଏହି ଆକ୍ରମଣ କରିଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇ ଉସୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଏବଂ ସୁରକ୍ଷା ବାହିନୀ ଆଖପାଖ ଅଂଚଳରେ ସର୍ଚ୍ଚ ଅପରେସନ୍ କରୁଛନ୍ତି । ନକ୍ସଲଙ୍କ ଦ୍ୱାରା ସଂଗଠିତ ଏହି ହତ୍ୟାକାଣ୍ଡ ପରେ ଅଂଚଳରେ ଆତଙ୍କ ସୃଷ୍ଟି ହୋଇଛି ।
ବିଜାପୁର ଏଏସପି ଚନ୍ଦ୍ରକାନ୍ତ ଗବର୍ଣ୍ଣା ଶନିବାର ଦିନ କହିଛନ୍ତି ଯେ, ଉସୁର ଥାନା ଅଂଚଳର ନେଲାକାଙ୍କେର ଗାଁରେ ଶୁକ୍ରବାର ରାତିରେ ନକ୍ସଲମାନେ ଦୁଇ ଜଣ ଗ୍ରାମବାସୀଙ୍କ ଘରେ ପ୍ରବେଶ କରି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ ଏବଂ ସେଠାରୁ ପଳାୟନ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣା ପରେ ସୁରକ୍ଷା ବାହିନୀ ପାଟ୍ରୋଲିଂ ଏବଂ ସର୍ଚ୍ଚ ଅପରେସନକୁ ତୀବ୍ର କରିଛି । ସେ କହିଛନ୍ତି ଯେ, ଏନେଇ ଅଧିକ ତଦନ୍ତ ଚାଲିଛି ଏବଂ ଦୋଷୀ ମାନଙ୍କୁ ଧରିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଉଛି ।
ତିରୁପତି ସୋଧିଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ୮ମ ଶ୍ରେଣୀ ପାସ୍ କରିଛନ୍ତି ଏବଂ ବୃତିରେ ସେ ଜଣେ ଚାଷୀ ଥିଲେ, ଯେତେବେଳେକି କଟ୍ଟମ ରବି ଯୁକ୍ତ ଦୁଇ ପାସ୍ କରିଥିଲା । ଉଭୟ ପ୍ରାୟତଃ ବିଜାପୁରର ମୁଖ୍ୟାଳୟ ଆୱାପାଲିକୁ ଯାତ୍ରା କରୁଥିଲେ । ତେଣୁ, ନକ୍ସଲମାନେ ସେମାନଙ୍କୁ ସୂଚନାଦାତା ବୋଲି ସନ୍ଦେହ କରିବା ସହିତ ଦୁହିଁଙ୍କୁ ହତ୍ୟା କରିଥିଲେ । ନକ୍ସଲମାନେ ଗତ ଏକ ମାସ ମଧ୍ୟରେ ସାତ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ