
ସମ୍ବଲପୁର, ୨୮ ଅକ୍ଟୋବର (ହି.ସ.) ନୂଆପଡ଼ା ଉପନିର୍ବାଚନରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀଗଣ ବିଭିନ୍ନ ଅଞ୍ଚଳରେ ପ୍ରାର୍ଥୀଙ୍କ ପ୍ରଚାର ଦାୟିତ୍ୱ ତୁଲାଉଛନ୍ତି । ସକାଳୁ ରାତି ଯାଏଁ ବିବିଧ କାର୍ଯ୍ୟକ୍ରମ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି ।
ଆଜି ଓଡିଶା ସରକାରଙ୍କ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କୋମନା ବ୍ଲକର ଅଗ୍ରେନ୍ ପଞ୍ଚାୟତ ଓ ଦେଓଦରା ପଞ୍ଚାୟତରେ ମାରାଥନ୍ ଭୋଟ ପ୍ରଚାର କରିଛନ୍ତି । ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବା ତଥା ନୂଆପଡ଼ାରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ଆଜି ନୂଆପଡା ଜିଲ୍ଲା କୋମନା ବ୍ଲକ୍ ଅଗ୍ରେନ୍ ପଞ୍ଚାୟତର କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଅନୁଷ୍ଠିତ ସାଙ୍ଗଠନିକ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ହାତମୁଠାକୁ ଆହୁରି ଟାଣ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ 'ଲୋକଙ୍କ ସରକାର'ର ବିକାଶଧାରାରେ ନୂଆପଡାକୁ ସାମିଲ କରିବାକୁ ଆହ୍ନାନ ଦେଇଛନ୍ତି । ଏଥିପାଇଁ ନୁଆପଡା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ପଦ୍ମଫୁଲରେ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ବିଜୟୀ କରାଇବା ପାଇଁ କୋମନା ବ୍ଲକ୍ ଦେଓଦରା ପଞ୍ଚାୟତ କୁଞ୍ଜଳପଡା ଗ୍ରାମର ଜନସାଧାରଣଙ୍କୁ ମନ୍ତ୍ରୀ ନିବେଦନ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ