
ଜୟପୁର, ୨୮ ଅକ୍ଟୋବର (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ସହରରେ ଜଣେ ଦିନ ମଜୁରିଆଙ୍କ ବିଦ୍ୟୁତ ଆଘାତରେ ପ୍ରାଣ ଚାଲିଯାଇଛି। ସୂଚନା ଅନୁଯାୟୀ ଦୈନଦିନ ଦିନ ମଜୁରି ପାଇଁ କୋରାପୁଟ ଜିଲ୍ଲାର ଅନେକ ଅଂଚଳରୁ ଜୟପୁର ସହରକୁ ଦିନ ମଜୁରିଆ ଭାବେ କାମ କରିବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରମିକ ମାନେ ଜୟପୁର ଜଗତ ଜନନୀ ମନ୍ଦିର ଛକ ତଥା ସେମିଲି ଛକକୁ ଆସିଥାନ୍ତି। ପ୍ରତ୍ୟେକ ଦିନ ଭଳି ଲମତାପୁଟ ବ୍ଲକ ହାଟସୁକୁ ଗ୍ରାମର ଶ୍ରମିକ ବୀରେନ ଖେମୁଣ୍ଡୁ ମଧ୍ୟ କାମ କରିବା ପାଇଁ ଜୟପୁର ସେମିଲି ଛକରେ ଅପେକ୍ଷାରତ ଥିଲେ। ହେଲେ ଉକ୍ତ ସମୟରେ ଜଣେ ଠିକାଦାର ତାଙ୍କ ସହ ଅନ୍ୟ ଦୁଇ ଜଣ ଶ୍ରମିକ ମୋଟ ତିନି ଜଣଙ୍କୁ କାମ କରିବା ପାଇଁ ଗାନ୍ଧି ଛକ କେନାଲ ପାର୍ଶ୍ୱରେ ଥିବା ବିଦ୍ୟୁତ୍ ଖୁଣ୍ଟ ରେ କାମ କରିବାକୁ ଡାକି ନେଇଥିଲେ। କାମ କରୁଥିବା ସମୟରେ ଦୁଇ ଜଣ ଶ୍ରମିକ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଘଟଣାସ୍ଥଳରେ ଶ୍ରମିକ ବିରେନ ଚେତା ହରେଇଥିଲେ। ଅନ୍ୟ ଜଣେ ଶ୍ରମିକ ବୈପାରିଗୁଡା ଅଂଚଳର ରାମ ପାଙ୍ଗି ଆହାତ ହୋଇଥିଲେ। ଏହି ଘଟଣାର ମୂକ ସାକ୍ଷୀ ଶ୍ରମିକ ଡମ୍ବରୁଧର ହନ୍ତାଳ ଉଭୟଙ୍କୁ ବଂଚାଇବାକୁ ଚେଷ୍ଟା କରିଥିଲେ। ପରେ ୧୦୮କୁ ଖବର ଦେବାପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜୟପୁରକୁ ନିଆଯାଇଥିଲା। ସେଠାରେ ଡାକ୍ତର ବୀରେନକୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି।ଏହି ଘଟଣାରେ ପରିବାର ବର୍ଗ ଏବଂ ଜୟପୁର ନିର୍ମାଣ ଶ୍ରମିକ ସଂଘର ସଭାପତି ପ୍ରବୀର ମହାନ୍ତି ଓ ଶ୍ରମିକ ନେତା ଉଦୟ ମେସ୍ତ୍ରୀଙ୍କ ଉପସ୍ଥିତରେ ମୃତ୍ୟୁ ବ୍ୟକ୍ତିଙ୍କ କ୍ଷତି ପୂରଣ ଦେବା ପାଇଁ ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଜୟପୁର ଟାଉନ୍ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ତଦନ୍ତ କରିବା ସହ ମୃତ ଓ ଆହାତଙ୍କ ପରିବାରକୁ ବୁଝାସୁଝା କରିଛନ୍ତି। ଘଟଣାରେ ପରିବାର ବର୍ଗ ଭରଣ ପୋଷଣ ପାଇଁ ଠିକାଦାରଙ୍କୁ ଆର୍ôଥକ ସହାୟତା ପାଇଁଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି