

ବଲାଙ୍ଗୀର, ୦୪ ନଭେମ୍ବର(ହି.ସ.) – ଆଜି ବଲାଙ୍ଗୀର ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ମହକ ଓ ଉତ୍ସବର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିଶୁ ଓ କିଶୋରମାନଙ୍କ ମଧ୍ୟରେ ଥିବା ପ୍ରତିଭାର ଅନ୍ୱେଷଣ, ଅନ୍ତର୍ନିହିତ ଗୁଣାବଳୀର ବିକାଶ ନିମନ୍ତେ ଆୟୋଜିତ ବଲାଙ୍ଗୀର ଜିଲ୍ଲାସ୍ତରୀୟ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କ ବାର୍ଷିକ କ୍ରୀଡ଼ା ଉତ୍ସବ ତଥା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ମହକ ଓ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିବସରେ ଉପଜିଲ୍ଲାପାଳ(ପ୍ରଶାସନ) ଡ. ବିଜୟାନନ୍ଦ ସେଠୀ ମଶାଲ ଶୋଭାଯାତ୍ରାର ଶୁଭ ଉଦ୍ଘାଟନ କରିଥିଲେ, ଏହାପରେ ପିଆର ହାଇସ୍କୁଲରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାର ଯୋଗଦାନ କରିଥିଲେ। ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ଲୁକ୍କାୟିତ ଭାବେ ପ୍ରତିଭା ରହିଛି, ତାହାର ବିକାଶ ଦାୟିତ୍ୱ ଆମ ହାତରେ ଅଛି। ଦୃଢ଼ ମନୋବଳ ଓ କଠିନ ପରିଶ୍ରମ ମାଧ୍ୟମରେ ଜୀବନରେ ଉନ୍ନତି ହାସଲ କରିପାରିବା, ଉପଯୁକ୍ତ ବୌଦ୍ଧିକ ଓ ଶାରୀରିକ ବିକାଶ ହେଲେ ଯାଇ, ଭିତରେ ଥିବା ଲୁକାୟିତ ପ୍ରତିଭା ଉନ୍ନତ ଘଟିବ, ଭଲ ମଣିଷ ହୋଇ ସମାଜର ବିକାଶ କ୍ଷେତ୍ରରେ ସାମିଲ ହେବାପାଇଁ ପିଲାମାନଙ୍କୁ ମୁଖ୍ୟଅତିଥି ପରାମର୍ଶ ଦେଇଥିଲେ। ପ୍ରଥମ ଦିନରେ ଦୌଡ଼, ଲମ୍ବା ଡିଆ, କେରମ୍, ଚେସ, ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଦିନରେ ନାଚ, ଗୀତ, ବକୃତା, ଚିତ୍ରାଙ୍କନ, କୁଇଜ୍ ପ୍ରତିଯୋଗିତା ପ୍ରଭୃତି ଅନୁଷ୍ଠିତ ହୋଇଥିଲା। ଗ୍ରାମ ମଙ୍ଗଳ ପାଠାଗାର,ପାର୍ବତୀ ଗିରି ବାଳ ନିକେତନ,ଗୁରୁକୁଳ ସପ୍ତଶ୍ରୀ ସେବାଶ୍ରମ, ଉତ୍କଳ ବାଲାଶ୍ରମ ଶିଶୁ ଗୃହ ଅନୁଷ୍ଠାନର ଅନ୍ତେବାସୀମାନେ ଏହି ପ୍ରତିଯୋଗୀତାରେ କନିଷ୍ଠ ଓ ବରିଷ୍ଠ ବର୍ଗର ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଡ. ଅନୁପମା ପ୍ରଧାନଙ୍କ ସଭାପତିତ୍ୱରେ ଉଦଯାପନି ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ପବିତ୍ର ବେହେରା, ସମ୍ମାନିତ ଅତିଥି ଭାବେ ଚୁଡ଼ାପାଲି ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକାରୀ, ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ଲାଇନ ବାବୁ ପ୍ରମୁଖ ଯୋଗଦାନ କରିଥିଲେ। ମହକ ଓ ଉତ୍ସାହର ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମୁଖ୍ୟଅତିଥି ଓ ଅତିଥି ମାନେ ପୁରସ୍କାର ସ୍ୱରୂପ ପ୍ରମାଣପତ୍ର ଓ ଟ୍ରଫି, ପଦକ ପ୍ରଦାନ କରିଥିଲେ। ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଆଇନ୍ ପରିବିକ୍ଷକ ଅଧିକାରୀ ଦିଗମ୍ବର କର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଗ୍ରାମ ମଙ୍ଗଳ ପାଠାଗାର, ପାର୍ବତୀ ଗିରି ବାଳ ନିକେତନ, ଗୁରୁକୁଳ ସପ୍ତଶ୍ରୀ ସେବାଶ୍ରମ, ଉତ୍କଳ ବାଲାଶ୍ରମ ଶିଶୁ ଗୃହ ଅନୁଷ୍ଠାନର କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ