

ବାରିପଦା, ୪ ନଭେମ୍ବର (ହି.ସ.)- ଆଜକୁ ପ୍ରାୟ ୧୦ ବର୍ଷ ପୂର୍ବରୁ ନିଖୋଜ ସୁଦାମଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି। ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷା ସସ୍ମିତା ଦାସ ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସୁଦାମକୁ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି।
ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଶିଆଳିଘାଟି ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ମସ୍ତିିଷ୍କ ବିକୃତ ରହିିିଥିବା ସୁଦାମ ହେମ୍ବ୍ରମ(୩୯) ପ୍ରାୟ ୧୦ ବର୍ଷରୁ ଉର୍ଦ୍ଧ୍ଵ ହେବ ନିଖୋଜ ଅଛନ୍ତି। ତାଙ୍କ ପିତାଙ୍କ ମୃତ୍ୟୁର ଦଶାହ ଦିନ ସେ ଘରୁ ବାହାରି ଯାଇଥିଲେ। କିନ୍ତୁ, ଆଉ ଘରକୁ ଫେରିନଥିଲେ। ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଘର କିମ୍ବା ଗାଁ କୁ ଫେରି ନଥିଲେ। ଦୀର୍ଘ ବର୍ଷ ପରେ ଗତ ମାସରେ ବାଂଲାଦେଶର ଗୋଲାବରି ରେଳ ଷ୍ଟେସନ ନିକଟରେ ସେ ବୁଲୁଥିବାର ଜଣେ ସାମାଜିକ କର୍ମୀ ଏମଡି ଅବଦୁଲ ଗନି ଫିତୁ ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ସେ ସମସ୍ତ ସନ୍ଧାନ ତଥା ସୂଚନା ପାଇବା ପରେ କେନ୍ଦ୍ର ସରକାର ଓ ଓଡ଼ିଶା ସରକାରଙ୍କୁ ଉଦ୍ଧାର ପାଇଁ ଜଣାଇଥିଲେ। ତେବେ ଏହି ଖବର ପାଇବା ପରେ ସୁଦାମଙ୍କ ପରିବାର ପକ୍ଷରୁ ତାଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନଙ୍କୁ ନିବେଦନ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କୁ ଭେଟି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବାଂଲାଦେଶ ସହିତ ବର୍ତ୍ତମାନ ଭାରତର ସମ୍ପର୍କ ଠିକ୍ ନଥିବା ବେଳେ ସୁଦାମ ହେମ୍ବ୍ରମଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ