ପାଟନା, ୨୫ ଫେବୃଆରୀ (ହି.ସ.)- ବିହାରରେ ଝାଝା-ଜସିଡିହ ରେଳ ଡିଭିଜନରେ ଗତକାଲି ରାତି ୧ଟାରେ ରେଳ କର୍ମଚାରୀମାନଙ୍କ ସତର୍କତା ଯୋଗୁଁ ବଂଚି ଯାଇଛି ଶହ ଶହ ଲୋକଙ୍କ ଜୀବନ । ପୂର୍ବ ରେଲୱେ ର ଝାଝା-ଜସିଡିହ ରେଳ ଡିଭିଜନରେ ରେଲୱେ ର ସତର୍କ ପାଟ୍ରୋଲିଙ୍ଗ ଟିମ୍ ଅପ୍ ଟ୍ରାକ୍ ରେ ୨ ଫ୍ଲାଶ ପ୍ଲେଟ୍ ଖୋଲାଥିବା ଦେଖିବାକୁ ପାଇଥିଲେ । ରେଲୱେ ଟ୍ରାକ୍ ର ପାଟ୍ରୋଲିଙ୍ଗ କରୁଥିବା କର୍ମଚାରୀ ସୁରଜ ବର୍ମା ଏବଂ ଚନ୍ଦ୍ରିକା ଯାଦବ କିଲୋମିଟର ସଂଖ୍ୟା ୩୪୪/୧୭ -୧୯ ନିକଟରେ ଟ୍ରାକ୍ ରେ ତୃଟୀ ରହିଥିବା ଦେଖିବାକୁ ପାଇଥିଲେ । ସେମାନେ ଦେଖିବାକୁ ପାଇଥିଲେ ଯେ, ଗୋଟିଏ ଫ୍ଲାଶ ପ୍ଲେଟ୍ ସମ୍ପୂର୍ଣ୍ଣ ଖୋଲି ଯାଇଥିଲା । ଏବଂ ଅନ୍ୟଟିର ନଟ୍ -ବୋଲ୍ଟ ଢିଲା ଥିଲା । ସେମାନେ କାଳବିଳମ୍ବ ନକରି ବିଭାଗୀୟ ଅଧିକାରୀଙ୍କୁ ଏନେଇ ସୂଚନା ଦେଇଥିଲେ । ଯାହାଦ୍ୱାରା ସମୟ ପୂର୍ବରୁ ଟ୍ରାକ୍ ର ମରାମତି କରାଯାଇପାରିଥିଲା ।
ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ୧୩,୧୮୫ ଅପ୍ ସିୟାଲଦହ-ଜୟନଗର ଗଙ୍ଗାସାଗର ଏକ୍ସପ୍ରେସକୁ ୪୫ ମିନିଟ୍ ପର୍ଯ୍ୟନ୍ତ ରୋକା ଯାଇଥିଲା । ଏହି ସମୟରେ ରେଳ କର୍ମଚାରୀ ମାନେ ଅତ୍ୟନ୍ତ ଶୀଘ୍ରତାର ସହିତ ଟ୍ରାକ୍ ର ମରାମତି କରିଥିଲେ । ଏବଂ ଏହା ସୁନିଶ୍ଚିତ କରିଥିଲେ ଟ୍ରାକ୍ ରେ ଆଉ କୌଣସି ବୈଷୟିକ ସମସ୍ୟା ନାହିଁ । ଏଇଏନ ଜସିଡିହ ପିଂଟୁ ଦାସ କହିଛନ୍ତି ଯେ, ତଦନ୍ତ ଜାରି ରହିଛି ଯେ, ଫ୍ଲାଶ ପ୍ଲେଟ୍ ପ୍ରାକୃତିକ ରୂପେ ଖୋଲିଥିଲା ନା କେହି ଜାଣିଶୁଣି ଏହାକୁ ଖୋଲିଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ