ଭକ୍ତମୟ ଶ୍ରୀଲୋକନାଥ ପୀଠ ରାତି ୩ଟାରେ ମହାଦୀପ ଦର୍ଶନ
ପୁରୀ,26 ଫେବ୍ରୁଆରି (ହି.ସ.)-ପବିତ୍ର ମହାଶିବରାତ୍ରି ତଥା ଜାଗରଯାତ୍ରା ଉପଲକ୍ଷେ ପୁରୀ ଶ୍ରୀଲୋକନାଥଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗି ଲାଗି ରହିଛି । ଉପବାସ କରିଥିବା ଭକ୍ତ ମାନେ ରାତି ୩ଟାରେ ମହାଦୀପ ଉଠିବା ପରେ ଅନ୍ନଜଳ ସ୍ପର୍ଶ କରିବେ । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଶ୍ରୀଲୋକନାଥଙ୍କ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ଯାରିକେଡ ନିର୍ମାଣ କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଜାଗର ପଦାରେ ଭକ୍ତ ମାନଙ୍କ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ଛାପା ବା ଟେଣ୍ଟ କରାଯାଇଛି । ମନ୍ଦିର ସମ୍ମୁଖରେ ଭୋଗ ଦୋକାନ ଖୋଲିଛି । ଆଖପାଖ ଗ୍ରାମରୁ ଆସିଥିବା ଭକ୍ତ ମାନେ ବଡ ଡାଲାରେ ଚୁଡାଘଷା ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି । ଭକ୍ତ ମାନେ ବ୍ଯାରିକେଡରେ ଧାଡିରେ ଯାଇ ବାବା ଲୋକନାଥଙ୍କୁ ଦର୍ଶନ କରୁଛନ୍ତି । ଜିଲ୍ଲା ସୂଚନା ଓ କାର୍ଯ୍ଯାଳୟ ପକ୍ଷରୁ ଷ୍ଟଲ ଖୋଲାଯାଇ ହଜିବା ଓ ଖୋଜିବା ଲୋକଙ୍କ ସମ୍ପର୍କରେ ଡାକବାଜି ଯନ୍ତ୍ରରେ ସୂଚନା ଦିଆଯାଉଛି । ଛୋଟ ପିଲା ମାନଙ୍କ ପାଇଁ ବିଭିନ୍ନ ଖେଳଣା ଦୋକାନରେ ଗହଳି ପରିଲକ୍ଷିତ ହୋଇଛି । କାଠରେ ନିର୍ମିତ ଘରକରଣା ସାମଗ୍ରୀ, ଷ୍ଟିଲି, ସିଲଭର ଓ କଂସା ବାସନ କୁସନ ଦୋକାନ ସମେତ ଖାଦ୍ଯ ସାମଗ୍ରୀ ପସରା ଖୋଲିଛି । ସଂଧ୍ଯାରେ ଭଜନ ମଣ୍ଡପରେ ଓଡିଶାର ଖ୍ୟାତନାମା କଣ୍ଠଶିଳ୍ପୀଙ୍କ ସହ ସହରର କଣ୍ଠଶିଳ୍ପୀ ମାନେ ଭକ୍ତି ସଂଗୀତ ଗାନ କରିବେ । ସେଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ରାତିରେ ହରିହର ଭେଟ ହେବା ପରେ ମହାଦୀପ ଉଠିବ । ସଂଧ୍ଯାରେ ଶ୍ରଦ୍ଧାଳୁ ମାନେ ଦୀପ ପ୍ରଜ୍ବଳନ କରି ରାତିସାରା ଉଜାଗର ରହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ