କେନ୍ଦୁଝର, ୨୬ ଫେବୃଆରୀ ( ହି . ସ)
ଆଜି କେନ୍ଦୁଝର ଜିଲ୍ଲାର ୧୪୦ ଜଣ ବରିଷ୍ଠ ନାଗରିକ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଜରିଆରେ ଶିରିଡ଼ି ଓ ନାଶିକ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ତୀର୍ଥଯାତ୍ରୀଙ୍କୁ ନେଇ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରିଥିବା ଏକ ସ୍ୱତନ୍ତ୍ର ବସକୁ ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ସବୁଜ ପତାକା ପ୍ରଦର୍ଶନ କରି ଆନୁଷ୍ଠାନିକ ଭାବେ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସିଂହ ତୀର୍ଥଯାତ୍ରୀ ମାନଙ୍କ ସହ ଭାବ ବିନିମୟ କରି ସଫଳ ଯାତ୍ରା କାମନା କରି ଶୁଭେଚ୍ଛା ଜଣାଇଥିଲେ ।
ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖିବା ସହ ସମସ୍ତ ସୁବିଧା ଉପଲବ୍ଧ କରାଇ ସେମାନଙ୍କୁ ଏକ ସୁନ୍ଦର ଏବଂ ଆଧ୍ୟାତ୍ମିକ ଅନୁଭୂତି ପ୍ରଦାନ କରିବା ନିମନ୍ତେ ଅନୁରକ୍ଷଣ ଅଧିକାରୀ ( ଏସକର୍ଟ ଅଫିସର) ମାନଙ୍କୁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଶ୍ରୀ ରବୀନ୍ଦ୍ର ପ୍ରଧାନ ଓ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ଉପସ୍ଥିତ ରହିଥିଲେ ।
ସୂଚନାଯୋଗ୍ୟ ଏହି ସ୍ୱତନ୍ତ୍ର ବସଟି ବାଲେଶ୍ୱରରେ ପହଂଚିବା ପରେ ଅନ୍ୟ କିଛି ଜିଲ୍ଲାରୁ ଆସିଥିବା ତୀର୍ଥଯାତ୍ରୀଙ୍କୁ ଏକାଠି ନେଇ ଆସନ୍ତାକାଲି ଏକ ସ୍ୱତନ୍ତ୍ର ଟ୍ରେନ ନାଶିକ ଯାତ୍ରା ଆରମ୍ଭ କରିବ ।
---------------
ହିନ୍ଦୁସ୍ଥାନ ସମାଚାର / ବିଭୁତି