ବଲାଙ୍ଗିର, 26 ଫେବ୍ରୁଆରି (ହି.ସ.)
: ପଶ୍ଚିମ ଓଡିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ଠାରେ ଆଜି ଶହ ଶହ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ପାଳନ କରାଯାଏ । ହରିଶଙ୍କର ଠାରେ ଏହିଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଆଜି ଦେବଦେବ ମହାଦେବଙ୍କ ଦ୍ୱାରା ଏହି ଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି । ପୁରାଣର ଅନ୍ୟ ଏକ ଆଖ୍ୟାନ ଅନୁସାରେ, ଦେବ ଓ ଅସୁର ମାନଙ୍କ ଦ୍ୱାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସମସ୍ତ ବିଷକୁ ଶିବ ପାନ କରି ଧରାକୁ ଏକ ଆସନ୍ନ ବିପଦରୁ ଉଦ୍ଧାର କରିଥିଲେ । ଏହି ବିଷକୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି । ଶିବଙ୍କ ପୂଜା ଉପାସନା ଏହି ଦିନ ହିନ୍ଦୁ ନରନାରୀ ଶୁଦ୍ଧପୂତ ଭାବରେ ଉପବାସ ପୂର୍ବକ ଅଖଣ୍ଡ ଦୀପ ଜାଳି ରାତ୍ରି ଉଜାଗର ରହି ବ୍ରତ ପାଳୁଥିବାରୁ ଏହାକୁ ଜାଗର ଓଷା ବା ଜାଗର ବ୍ରତ ମଧ୍ୟ କୁହାଯାଇଥାଏ । ଆତ୍ମ କଲ୍ୟାଣର ରାସ୍ତାକୁ ପରିଷ୍କାର କରିବା ପାଇଁ ଅଖଣ୍ଡ ସଜାଗତା ଓ ଜ୍ଞାନର ଆଲୋକ ଏ ଦୁଇଟିର ଆବଶ୍ୟକତା ରହିଛି ବୋଲି ଏହି ମହାନପର୍ବ ଶିକ୍ଷା ଦେଇଥାଏ । ମଝିରାତିକୁ ମନ୍ଦିରର ଶିଖରକୁ ବିଶାଳ ମହାଦୀପ ନିଆଯାଏ । ତାହାକୁ ଦର୍ଶନ କରି ଭକ୍ତମାନେ ବିହ୍ୱଳ ହୁଅନ୍ତି । ପରଦିନ ସ୍ନାନାଦି ସମାପନ କରି ଭକ୍ତମାନେ ସେମାନଙ୍କ ଉପବାସ ଭଙ୍ଗ କରିଥାନ୍ତି । ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ସ୍ଥାନୀୟ ପୋଲିସ ଏବଂ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ