ଏହା ପଛରେ ଥିବା ବ୍ୟକ୍ତିବିଶେଷଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ
ଭୁବନେଶ୍ୱର, 15 ଏପ୍ରିଲ୍ (ହି.ସ.) - ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତୀ ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି ।
ଏ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ନିଶ୍ଚିତ ଭାବରେ ଜଣେ ହୀନ ଓ ରୁଗ୍ଣ ମାନସିକତାର ବ୍ୟକ୍ତି ହୋଇଥିବେ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି।
ବର୍ତମାନ ସୁଦ୍ଧା ଏ ଘଟଣାରେ ଜଣେ ବ୍ୟକ୍ତି ଗିରଫ ମଧ୍ୟ ହୋଇ ସାରିଛନ୍ତି । ଯଦି ଏହି ଘଟଣା ପଛରେ କିଛି ଷଡଯନ୍ତ୍ର ଥାଏ, ତେବେ ଏହାର ମଧ୍ୟ ପର୍ଦ୍ଦାଫାସ୍ କରିବାକୁ ମୁଖ୍ୟମନ୍ତ୍ରୀ ଦୃଢ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ସମସ୍ତ ବରପୁତ୍ରଙ୍କୁ ରାଜ୍ୟ ସରକାର ସମ୍ମାନ ଦେବାରେ ବିଶ୍ୱାସ କରନ୍ତି ଓ ପୂଜ୍ୟପୂଜା ପାଇଁ ସମସ୍ତ ପଦକ୍ଷେପ ନେଇ ଆସୁଛନ୍ତି। ବିଜୁବାବୁଙ୍କ ପ୍ରତି ତାଙ୍କର ବ୍ୟକ୍ତିଗତ ଭାବେ ଗଭୀର ସମ୍ମାନ ରହି ଆସିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିକଟରେ ମାର୍ଚ୍ଚ ୫ ତାରିଖରେ ବିଜୁବାବୁଙ୍କ ଜୟନ୍ତୀକୁ ରାଜ୍ୟ ସ୍ତରରେ ବିପୁଳ ଉତ୍ସାହର ସହ ପାଳନ କରାଯାଇଥିଲା । ସେଥିରେ ସେ ନିଜେ ଯୋଗ ଦେଇ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ। ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ମଧ୍ୟ ଏପ୍ରଲ ୧୭ ତାରିଖରେ ପାଳନ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା