ସମ୍ବଲପୁର, ୧୮ ଏପ୍ରିଲ୍ (ହି.ସ.) ସମ୍ବଲପୁର କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଗୋଷ୍ଠୀ ଦେଶର ସର୍ବଶ୍ରେଷ୍ଠ ବିବେଚିତ ହୋଇଛି । ଭାରତର ସର୍ବବୃହତ ସାମରିକ ବାହିନୀ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ଜନ୍ମଭୂମି ମଧ୍ୟପ୍ରଦେଶର ନିମଚରେ ଗୁରବାର ଆୟୋଜିତ ୮୬ ତମ ସ୍ଥାପନା ଦିବସ ପ୍ୟାରେଡରେ କେନ୍ଦ୍ର ସୌରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମୁଖ୍ୟଅତିଥି ଭାବେ ଯୋଗଦେଇ ଡେପୁ୍ଟି ଇନ୍ସପେକ୍ଟର ଜେନେରାଲ ସଞ୍ଜୟ କୁମାର ସିଂଙ୍କ ଉପସ୍ଥିତିରେ ସମ୍ବଲପୁର ସିଆର୍ପିଏଫ୍ ଗୋଷ୍ଠୀ କେନ୍ଦ୍ରକୁ ସର୍ବଶ୍ରେଷ୍ଠ ଗୋଷ୍ଠୀକେନ୍ଦ୍ର ପ୍ରରସ୍କାର ସ୍ୱରୂପ ଟ୍ରଫି ପ୍ରଦାନ କରିଛନ୍ତି । ଅୟୋଜିତ ଉତ୍ସବରେ ମୁଖ୍ୟଅତିଥି ଶ୍ରୀ ଶାହା ଦେଶମାତୃକା ପାଇଁ ବଳିଦାନ ଦେଇଥିବା ସିଆରପିଏଫ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ସେ ନିଜ ଉଦବୋଧନରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସକୁ ବିଶ୍ୱର ସର୍ବବୃହତ୍ତ ସାମରିକ ବାହିନୀ ଭାବରେ ଅବତାରଣା କରିଥିଲେ । ଏହି ଅବସରରେ ୨୦୨୬ ମାର୍ଚ୍ଚ ଶେଷସୁଦ୍ଧା ଦେଶରୁ ନକ୍ସଲବାଦକୁ ସମାପ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କହିଥିଲେ । ସୂଚନାଯୋଗ୍ୟ, ଆଇନ ଶୃଙ୍ଖଳା ପରିସ୍ଥିତି ଓ ଆତଙ୍କବାଦ ବିରୋଧରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପୋଲିସକୁ ସହାୟତା କରିବା କାର୍ଯ୍ୟରେ ସିଆରପିଏଫ୍ ଭୁମିକା ରହିଛି ।
୨୦୧୫ ଜୁନ୍ ୨୪ ତାରିଖରେ ସମ୍ବଲପୁରର ବସନ୍ତପୁର ଗୋଶାଲାରେ ନୂତନ ସିଆରପିଏଫ୍ ଗୋଷ୍ଠୀ କେନ୍ଦ୍ର ସ୍ଥାପିତ ହୋଇଥିଲା । ସିଆରପିଏଫ୍ ମୋଟ ୪୩ ଗୋଷ୍ଠୀ କେନ୍ଦ୍ର ମଧ୍ୟରୁ ସର୍ବେଶ୍ରେଷ୍ଠ ଗୋଷ୍ଠୀକେନ୍ଦ୍ର ଚୟନ ପାଇଁ, ଗୋଷ୍ଠୀକେନ୍ଦ୍ର ଗୁଡିକ ସେକ୍ଟର, ଜୋନାଲ ଓ ନିଦେ୍ର୍ଦଶାଳୟ ସାଧାରଣ ସ୍ତରରେ ଗଠିତ ବୋର୍ଡ ଦ୍ୱାରା ସମସ୍ତ ମାନଦଣ୍ଡର ସମୀକ୍ଷଉା କରାଯାଇ ସମ୍ବଲପୁର ଗୋଷ୍ଠୀକେନ୍ଦ୍ରକୁ ସର୍ବଶ୍ରେଷ୍ଠ ବିବେଚିତ କରାଯାଇଛି । ସମ୍ବଲପୁର ଗୋଷ୍ଠୀକେନ୍ଦ୍ର ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ଶିବିର, ସଚେତନତା କାର୍ଯ୍ୟକ୍ରମ ଆଦି ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟ ସହିତ ଆନ୍ତର୍ଜାତୀୟ ଯୋଗ ଦିବସ, ସାମୂହିକ ବୃକ୍ଷ ରୋପଣ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ବାସୀନ୍ଦାଙ୍କ ସହିତ ଦୃଢ଼ ଓ ସୁସମ୍ପର୍କ ସ୍ଥାପନ କରିବାରେ ସକ୍ଷମ ହୋଇଛି । ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଗୋଷ୍ଠୀକେନ୍ଦ୍ର ଦ୍ୱାରା ସାଇକେଲ ଓ ବାଇକ୍ ରାଲି, ମିଲେଟ୍ ମେଳା, ପଥପ୍ରାନ୍ତ ନାଟକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଆୟୋଜ ସହ ସ୍ୱଚ୍ଛତାପକ୍ଷ ପାଳନ ଉପଲକ୍ଷେ ଆଖପାଖ ଗ୍ରାମାଞ୍ଚଳ, ସଡ଼କ, ସର୍ବସାଧାରଣ ସ୍ଥାନ, ସମସ୍ତ ଧର୍ମର ପୂଜାପାଠ, ଚେକପଏଣ୍ଟ ଆଦିର ସଫେଇ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇ ଉଚ୍ଚ ପ୍ରଶଂସିତ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ