ଭୁବନେଶ୍ୱର, ୦୮ ମଇ (ହି.ସ.) - ପଶ୍ଚିମ ବଙ୍ଗଳା ସରକାରଙ୍କ ପକ୍ଷରୁ ଦୀଘା ଠାରେ ଗତ ଅକ୍ଷୟ ତୃତୀୟା ଦିନ ପ୍ରତିଷ୍ଠା କରାଯାଇଥିବା ଜଗନ୍ନାଥ ମନ୍ଦିରର ନାମକରଣ “ଜଗନ୍ନାଥ ଧାମ” କରାଯିବା ଫଳରେ ପୁରୀ ଜଗନ୍ନାଥ ମନ୍ଦିରର ଗାରିମା, ସାଂସ୍କୃତିକ ଐତିହ୍ୟ ଓ ଆଧ୍ୟାତ୍ମିକ ଚେତାନାକୁ କ୍ଷୁର୍ଣ୍ଣ କରୁଛି। ଏଥିନେଇ ପଶ୍ଚିମ ବଙ୍ଗଳା ସରକାରଙ୍କ ଏହି ନାମକରଣ ପଛରେ ପର୍ଯ୍ୟଟନ ଜନିତ ବେପାର ଓ ଇସ୍କନ ପଶ୍ଚିମ ବଙ୍ଗଳା (ମାୟାପୁରୀ) ସାଂସ୍କୃତିକ ଓ ଜଗନ୍ନାଥ ଚେତନାର ବ୍ୟବସାୟୀକରଣ ପାଇଁ ମୁଖ୍ୟତଃ ଦାୟୀ ବୋଲି ପୂଜ୍ୟ ପୁରୀ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ଓ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଚିଠିରୁ ସ୍ପଷ୍ଟ ହୋଇଛି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି।
ତିନିବର୍ଷ ତଳେ ପୁରୀରେ ଦ୍ୱିତୀୟ ଜଗନ୍ନାଥ ମନ୍ଦିର ନିର୍ମାଣ କରିବାକୁ ଉଦ୍ୟମ କରିଥିବା ଇସ୍କନ ଦୀଘା ଜଗନ୍ନାଥ ମନ୍ଦିରକୁ “ଜଗନ୍ନାଥ ଧାମ” ନାମରେ ନାମିତ କରି ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ଉପରେ ଏକ ସୁଚିନ୍ତିତ ଓ ସୁଦୂରପ୍ରସାରୀ ଆକ୍ରମଣ କରିବାର ଯୋଜନା କରିଛି ବୋଲି ଓଡ଼ିଆ ଅସ୍ମିତା ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି। ପୂର୍ବରୁ ଇସ୍କନ ବିଶ୍ୱବ୍ୟାପୀ ବିଭିନ୍ନ ଜାଗାରେ ଅଦିନିଆ ରଥଯାତ୍ରା କରି ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ପ୍ରତି କୁଠାରଘାତ କରିସାରିଛି। ଦୀଘା ଜଗନ୍ନାଥ ମନ୍ଦିରର ଏହି ନାମକରଣ ଓ ଇସ୍କନ ମାୟାପୁରୀର ବ୍ୟବସାୟିକ ଷଡ଼ଯନ୍ତ୍ର ଯୋଗୁଁ ଓଡ଼ିଶା-ପଶ୍ଚିମ ବଙ୍ଗଳା ମଧ୍ୟରେ ଶହ ଶହ ବର୍ଷ ଧରି ଥିବା ସାମ୍ପ୍ରଦାୟିକ ସଦ୍ଭାବନା, ଭାଇଚାରା, ସାଂସ୍କୃତିକ ସୌହାର୍ଦ୍ଦ୍ୟ ଆଜି ନଷ୍ଟ ହେବାକୁ ବସିଛି। ତେଣୁ ଯେଉଁ ଇସ୍କନ ଜଗନ୍ନାଥଙ୍କ ଗାରିମା ଓ ଆଧ୍ୟାତ୍ମିକ ଚେତନାକୁ କ୍ଷୁର୍ଣ୍ଣ କରିବାକୁ ଷଡ଼ଯନ୍ତ୍ର କରୁଛି ଏବଂ ସାଂସ୍କୃତିକ ସୌହାର୍ଦ୍ଦ୍ୟ ଓ ଏକତାକୁ ବଳି ପକାଇବାକୁ ଉଦ୍ୟମ କରୁଛି, ସେହି ଇସ୍କନକୁ ଓଡ଼ିଶାରେ ନିଷିଦ୍ଧ କରିବା ସହିତ ତା ବିରୁଦ୍ଧରେ ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡ଼ିଆ ଅସ୍ମିତା ପରିଷଦ, ରାଜ୍ୟ କମିଟି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛି।
ପ୍ରଥମେ ଓଡ଼ିଶା ସରକାର ଆପୋଷ ଆଲୋଚନା ମାଧ୍ୟମରେ ଏହାର ପରିସମାପ୍ତି ଘଟାଇବା ପାଇଁ ପରିଷଦ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଛି। ଯଦି ଇସ୍କନ କର୍ତୃପକ୍ଷ ତଥା ପଶ୍ଚିମ ବଙ୍ଗଳା ସରକାର ଏହାର ଆପୋଷ ସମାଧାନ ନ କରନ୍ତି, ତେବେ କେନ୍ଦ୍ର ସରକାରଙ୍କର ହସ୍ତକ୍ଷେପ ଲୋଡ଼ିବା ସହିତ ଓଡ଼ିଶା ଏ ଦିଗରେ ଆଇନଗତ ପଦକ୍ଷେପ ନେବାକୁ ଓଡ଼ିଆ ଅସ୍ମିତା ପରିଷଦ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ବିନମ୍ର ଅନୁରୋଧ କରାଯାଇଛି। ଏ ସଂକ୍ରାନ୍ତରେ ଗୁରୁବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖି ଓଡ଼ିଆ ଅସ୍ମିତା ପରିଷଦର ଆବାହକ ଶ୍ରୀ ରବି ବେହେରା ଇସ୍କନର ପ୍ରଚାର ଓ ପ୍ରସାରକୁ ଓଡ଼ିଶାରେ ନିଷେଧ କରିବାକୁ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ