ଜୟପୁର, ୧ ଜୁନ୍ (ହି.ସ.)- ପ୍ରତିବର୍ଷ ମଇ ମାସ ୩୧ ତାରିଖକୁ ସାରା ଭାରତ ବର୍ଷରେ ବିଶ୍ଵ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଇଥାଏ । ତମାଖୁର ଭୟାବହତାକୁ ନେଇ ବିଶ୍ୱସ୍ତରରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷ ତମାଖୁ ଜନିତ ହୃଦରୋଗ ବିଷୟକୁ ଗୁରୁତ୍ୱ ଦିଆଯାଇଛି । ଏହା ସତ୍ତ୍ୱେ କୋରାପୁଟ ଜିଲ୍ଲା ରେ ତମାଖୁ କିମ୍ବା ତମାଖୁ ଜନିତ ଦ୍ରବ୍ୟର ବିକ୍ରି ଓ କ୍ରୟ ନିୟନ୍ତ୍ରଣ ହୋଇପାରିନାହିଁ । ୨୦୧୩ ମସିହା ଠାରୁ ଗୁଟଖାକୁ ନିଷିଦ୍ଧ ଘୋଷଣା କରାଯାଇଛି । ଏହା ମଧ୍ୟରେ ଦୀର୍ଘ ୧୨ ବର୍ଷ ଅତି ବାହିତ ହୋଇଯାଇଥିଲେ ମଧ୍ୟ ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଗୁଟଖା ବିକ୍ରି ବନ୍ଦ ହୋଇ ପାରିନାହିଁ । ନିଷିଦ୍ଧ ଘୋଷଣା ହେବାର କିଛି ଦିନ ପର୍ଯ୍ୟନ୍ତ ଲୁଚାଛପାରେ ଏହାର ବିକ୍ରି ହେଉଥିଲା ବେଳେ ଏବେ ଖୁଲୁମ୍ଖୁଲା ଗୁଟଖା ବିକ୍ରି ହେଉଛି । ବିଦ୍ୟାଳୟ ଠାରୁ ଆରମ୍ଭ କରି ଡ଼ାକ୍ତରଖାନା ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଗୁଟଖା ମାଳ ଝୁଲୁଥିବା ଦେଖିବାକୁ ମିଳୁଛି । କୋପା ଆଇନର ଧାରା ୬ ରେ ବିଦ୍ୟାଳୟ ଠାରୁ ୧୦୦ ମିଟର ମଧ୍ୟରେ ତମାଖୁ ବିକ୍ରି ବାରଣ କରାଯାଇଛି । ମାତ୍ର ପ୍ରଶାସନ ଏହାକୁ ଭୁଲି ଯାଇଛି । ପ୍ରଶାସନ ପକ୍ଷରୁ ଧରପଗଡ଼ ଠିକ୍ ଭାବେ ହେଉନଥିବାରୁ ଏହାର ବିକ୍ରି ଦିନକୁ ଦିନ ବଢିବାରେ ଲାଗିଛି । ଗୁଟଖା ନିଷିଦ୍ଧ ଘୋଷଣା ହୋଇଥିଲେ ମଧ୍ୟ ଏହାର ବିକ୍ରି ଚାଲିଥିବାରୁ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି । ରାଜ୍ୟରେ କୋପା ଆଇନ ସହ କେନ୍ଦ୍ର ଖାଦ୍ୟ ସୁରକ୍ଷା ଓ ମାନବ ପ୍ରାଧିକରଣ ଆଇନ ବା ଏଫଏସଏସଆଇ କାର୍ଯ୍ୟକାରୀ ହେଉଛି । ଏଫଏସଏସଆଇ ଆଇନରେ ଜର୍ଦା ଓ ଖଇନି ଆସୁନଥିବାରୁ ଖାଦ୍ୟ ସୁରକ୍ଷା ପକ୍ଷରୁ ଏହାର ବିକ୍ରି ଉପରେ କଟକଣା ଜାରୀ କରିବା ସମ୍ଭବପର ହେଉନାହିଁ । ଗତ ୨୦୧୩ ମସିହା ଠାରୁ ରାଜ୍ୟ ସରକାର ତମାଖୁ ନିଷେଧ ପାଇଁ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ତମାଖୁ ପ୍ରସ୍ତୁତି ସହ କିଣାବିକା ଉପରେ ମଧ୍ୟ କଟକଣା ଜାରୀ ହୋଇଛି । କିନ୍ତୁ, ସରକାରଙ୍କ ଏଥିପ୍ରତି ଆନ୍ତରିକତା ନଥିବା ସ୍ପଷ୍ଟ ବାରି ହୋଇପଡୁଛି । କୋରାପୁଟ ଜ଼ିଲ୍ଲା ସମେତ ଏହାର ଆଖପାଖ ଅଞ୍ଚଳରେ ଥିବା ପାନ ପୁଡ଼ିଆ ଦୋକାନରେ ବିନା ଦ୍ୱିଧାରେ ଗୁଟଖା ବିକ୍ରି ହେଉଛି । ଯେଉଁଠି ଦେଖିବ ମାଳମାଳ ଗୁଟଖା ପାଉଚ୍ ଦେଖିବାକୁ ମିଳୁଛି । ନା ହେଉଛି ଧରପଗଡ଼ ନା ହେଉଛି କାର୍ଯ୍ୟାନୁଷ୍ଠାନ । ବେଧଡ଼କ ଭାବେ ଚାଲିଛି ଗୁଟଖା ବେପାର । ତମାଖୁ ସେବନରେ ଅଭ୍ୟସ୍ତ ବ୍ୟକ୍ତି ମାନେ ଏହାର କୁପ୍ରଭାବ ଜାଣି ମଧ୍ୟ ଅଭ୍ୟାସ ଛାଡ଼ି ପାରୁ ନାହାନ୍ତି । ସଚେତନତା ଅଭାବରୁ ଅଧିକାଂଶ କିଶୋର ଓ ଯୁବପିଢି ମଧ୍ୟ କୁସଙ୍ଗରେ ପଡ଼ି ତମାଖୁ ସେବନ ପ୍ରତି ଆକର୍ଷିତ ହେଉଛନ୍ତି । କୋରାପୁଟ ଜିଲା ଏବଂ ଆଖପାଖ ଅଞ୍ଚଳର ଗୁଟଖା ବେପାରୀ ମାନେ ଲକ୍ଷ ଲକ୍ଷ ଟଙ୍କାର ବିଭିନ୍ନ ବ୍ରାଣ୍ଡର ଗୁଟଖା ଆଣି ଅବାଧରେ ବିକ୍ରି କରି ମାଲାମାଲ ହେଉଛନ୍ତି । ସରକାରଙ୍କ ତମାଖୁ ନିଷେଧ କେବଳ କାଗଜକଲମରେ ସୀମିତ ରହିଯାଉଥିବା ଦେଖିବାକୁ ମିଳୁଛି । ବର୍ଷକୁ ଥରେ ଅଧେ ଜିଲ୍ଲା ଖାଦ୍ୟ ସୁରକ୍ଷା ଓ ଯୋଗାଣ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଚଢଉ କରାଯାଉଥିବା ଜଣାପଡିଛି । ତାହା ବି ପୁଣି ଲୋକ ଦେଖାଣିଆ ଭାବେ ହାତ ଗଣତି ମାତ୍ର ୨ କିମ୍ବା ୩ ଟି ଛୋଟ ଛୋଟ ପାନ ଓ ଚାହା ଦୋକାନରୁ । ଗୁଟଖା ବିକ୍ରି ବାବଦକୁ ୧ ହଜାରରରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରି ପ୍ରଶାସନ ହାତବାନ୍ଧି ବସୁଥିବା ଜଣାପଡିଛି । କୋରାପୁଟ ଜ଼ିଲ୍ଲା ତଥା ଏହାର ଆଖପାଖ ଅଞ୍ଚଳରେ ଲୁଚାଛପାରେ ନକଲି ଗୁଟଖା ଓ ମସଲା ତିଆରି କାରଖାନା ଚାଲୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ କିପରି ନିରବଦ୍ରଷ୍ଟା ସାଜିଛନ୍ତି, ତାହା ବିରାଟ ପ୍ରଶ୍ନବାଚି ସୃଷ୍ଟି କରିଛି । ନକଲି ଗୁଟଖା ପ୍ରସ୍ତୁତକାରୀ ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଏଭଳି ବେଆଇନ ବିକ୍ରି ଚାଲୁଥିବା ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ଓ ତମାଖୁ ସେବନ ଦ୍ୱାରା ମୁଖ କର୍କଟ, ଯକ୍ଷ୍ମା ଭଳି ଦୂରାରୋଗ୍ୟରେ ପୀଡ଼ିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କୋରପୁଟ ଜିଲାରେ ବିଭିନ୍ନ ଅଞ୍ଚଳରେ ମଧ୍ୟ ଏହାର ସଂଖ୍ୟା କିଛି କମ୍ ନୁହେଁ । କୋରାପୁଟ ଜିଲାର ୧୪ଟି ବ୍ଲକରେ ଦୈନିକ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଗୁଟଖା କାରବାର ହେଉଥିବା ଜଣାଯାଇଛି । ଜଣେ ତମାଖୁ ସେବନ କରିବା ଦ୍ୱାରା ତାର ମାନସିକତା ଗଭୀର ଭାବେ ପ୍ରଭାବିତ ହୋଇଥାଏ ଓ ଅଭ୍ୟାସ ହୋଇଗଲା ପରେ ଏହାକୁ ଛାଡ଼ିବା କଷ୍ଟକର ହୋଇପଡିଥାଏ । ତମାଖୁ ଉପରେ ସେ ଏତେ ମାତ୍ରାରେ ନିର୍ଭରଶୀଳ ହୋଇପଡେ ଯେ, ପରିଣାମ ଯାହା ହେଉ ନା କାହିଁକି ଅଭ୍ୟାସ ଛାଡ଼ି ପାରେନାହିଁ । କେବଳ ଦୃଢ ମନୋବଳ ଓ ଇଚ୍ଛାଶକ୍ତି ଦ୍ୱାରା ହିଁ ଜଣେ ତମାଖୁ ଠାରୁ ଦୂରେଇ ରହିପାରିବ । ଏଥିପାଇଁ ପରିବାରର ସହଯୋଗ ସହ ଉପଯୁକ୍ତ ପରାମର୍ଶଦାତାର ମଧ୍ୟ ଆବଶ୍ୟକତା ରହିଛି । ତେବେ ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ତମାଖୁ ଦ୍ରବ୍ୟ ତ୍ୟାଗ କରିବା ନେଇ ସଚେତନତାର ଆବଶ୍ୟକତା ସହ ତମାଖୁ ସେବନରୁ ଦୂରେଇ ରହିବା ଲାଗି ଶପଥ ନେବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି